କନକ ବ୍ୟୁରୋ: ଖୁବଶୀଘ୍ର ରାଜ୍ୟରେ ହୋଇପାରେ ମନ୍ତ୍ରିମଣ୍ଡଳ ଅଦଳବଦଳ । ଅଚନାକ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟିବା ପରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ବଢିଲା ଚର୍ଚ୍ଚା । ପ୍ରାୟ ୨୦ ମିନିଟ ଧରି ବିଭିନ୍ନ ପ୍ରସଙ୍ଗରେ ହେଲା ଆଲୋଚନା । ବାଲେଶ୍ବର ଓ ବଳଙ୍ଗା ଘଟଣାକୁ ନେଇ ରାଜ୍ୟ ଉଠୁଥିବା ପଡୁଥିବାବେଳେ ଗତକାଲି ହଠାତ୍ ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଉ ଏହି ସାକ୍ଷାତ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଚର୍ଚ୍ଚାକୁ ବଳ ଯୋଗାଇଛି। ଅନେକ ଦିନ ଧରି ମୋହନଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ହୋଇଆସୁଛି ।
ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାକୁ ନେତା ଅନାଇବସିଛନ୍ତି । ବିଜେପି ସରକାରର ପ୍ରଥମ ବର୍ଷରେ ବିବାଦୀୟ ହୋଇ କିଛି ମନ୍ତ୍ରୀ ବାହାର ରାସ୍ତା ଦେଖିପାରନ୍ତି ବୋଲି ଆଶଙ୍କାରେ ଅଛନ୍ତି । ଏହି ସମୟରେ ଆଜି ଅପରାହ୍ନରେ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟ୍ଟିଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । ସେପଟେ ବର୍ତ୍ତମାନ ସ୍ଥିତିରେ ସାକ୍ଷାତକୁ ନେଇ ଭିନ୍ନ ଆକଳନ ବି କରାଯାଉଚି । ପ୍ରାୟ କୋଡିଏ ମିନିଟ୍ ଧରି ରାଜ୍ୟ ରାଜଭବନରେ ରାଜ୍ୟପାଳଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ରାଜ୍ୟର ସାଂପ୍ରତିକ ରାଜନୈତିକ ସ୍ଥିତି ଓ ଆଇନ୍ଶୃଙ୍ଖଳା ପରିସ୍ଥିତି ନେଇ ମଧ୍ୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥାଇପାରେ ବୋଲି କଳ୍ପନାଜଳ୍ପନା ଚାଲିଛି ।