କନକ ବ୍ୟୁରୋ: ଖରା ସହ ତାଳ ଦେଉଛି ଜଳ କଷ୍ଟ । ତାତି ଯେତିକି ବଢୁଛି ପାଣି ସମସ୍ୟା ସେତିକି ଉତ୍କଟ ହେଉଛି । କେନ୍ଦ୍ରାପଡ଼ା ରାଜକନିକାରେ ଜଳସମସ୍ୟାକୁ ନେଇ ତେଜିବାରେ ଲାଗିଛି ରାଜନୀତି । ମନ୍ତ୍ରୀ ସମାଧାନ ପାଇଁ ଡେଡଲାଇନ ଦେଉଥିବା ବେଳେ ଗ୍ରାଉଣ୍ଡରେ କାମ ହେଉନଥିବା ଅଭିଯୋଗ କରିଛନ୍ତି ବିରୋଧୀ ।
ଆକାଶରୁ ବର୍ଷୁଛି ନିଆଁ...ତାତି ଦେଖାଉଛି ତାଉ, ଶୋଷରେ ଉଡ଼ିଯାଉଛି ହଂସା । ତଣ୍ଟିର ଦରଜକୁ ବଳିଯାଉଛି ପାଣି ପାଇଁ ଲାଗୁଥିବା ଲମ୍ବାଧାଡ଼ିର ଧୈର୍ୟ୍ୟ । ପାଣି ପାଇଁ ବଡ଼ି ଭୋରରୁ ଆରମ୍ଭ ହୋଇଯାଉଛି ପ୍ରତିଯୋଗିତା । କେନ୍ଦ୍ରାପଡ଼ା ରାଜକନିକା ବ୍ଲକ କୋଇଲିପୁରୁ ପଞ୍ଚାୟତ ତରପଦା ଗାଁ ହରିସାଗର ଦୋଳମଣ୍ଡପ ନିକଟରେ ରହିଥିବା ଏହି ଗୋଟିଏ ନଳକୂପ ଉପରେ ନିର୍ଭରଶୀଳ ଦୁଇଟି ୱାର୍ଡର ୧୨୦ରୁ ଅଧିକ ପରିବାର । ଲୁଣି ପାଣି ବାହାରିବା ସହ ବର୍ଷେ ହେବ ଏହି ନଳକୂପଟି ଆଶିଂକ ଭାବେ ଅଚଳ ହୋଇପଡିଛି। ପାଣି ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେବା ପରେ ପ୍ରଶାସନ ନିକଟରେ ନଳକୂପ ସଜାଡ଼ିବାକୁ ଦାବି ହେଉଥିଲେ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ରାଜ୍ୟରେ ଦେଖାଦେଇଥିବା ଉତ୍କଟ ଜଳସମସ୍ୟାକୁ ନେଇ ଆରମ୍ଭ ହୋଇଛି ଶାସକ-ବିରୋଧୀ ତୁ ତୁ...ମେଁ ମେଁ । ଯେଉଁଠି ବି ପାନୀୟ ଜଳ ସମସ୍ୟା ସାମ୍ନାକୁ ଆସୁଛି ସ୍ଥାନୀୟ ଅଞ୍ଚଳବାସୀ ପ୍ରଶାସନିକ ଅଧିକାରୀଙ୍କ ସହ ତୁରନ୍ତ ଯୋଗାଯୋଗ କଲେ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ସେପଟେ ଗ୍ରାଉଣ୍ଡରେ କିଛି ବି କାମ ହେଉନଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ।
ଉପକୂଳରୁ ଉପାନ୍ତ ସବୁଠି ସାମ୍ନାକୁ ଆସୁଛି ଜଳକଷ୍ଟର ଚିତ୍ର । କେଉଁଠି ନଳକୂପରୁ ପାଣି ବାହାରୁନି ତ ଆଉ କେଉଁଠି ପାଣି ମୁନ୍ଦାଏ ପାଇଁ ଚାଲିବାକୁ ପଡୁଛି କୋଶ କୋଶ ବାଟ। ଗାଁ ଗାଁକୁ ଜଳ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ଭଳିକି ଭଳି ଯୋଜନା ଜନତାଙ୍କ ପାଇଁ ପାଲଟିଛି ଭେଳିକି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/04/25/yGOTPfJS78oLAkdA8Dz0.jpg)