କନକ ବ୍ୟୁରୋ: କଟନି ଛଟନିକୁ ନେଇ ସରକାରରେ ଏବେ ଦ୍ବିମତ। ମୋହନ ସରକାରର ୨ ମନ୍ତ୍ରୀ କଟନି ଛଟନିକୁ ନେଇ ଭିନ୍ନ ଭିନ୍ନ ବୟାନ ଦେଉଛନ୍ତି। ଖରାପ ଧାନ ପାଇଁ କଟନି ଛଟନି ହେଉଥିବା ସମବାୟ ମନ୍ତ୍ରୀ କହୁଥିବା ବେଳେ ଯୋଗାଣ ମନ୍ତ୍ରୀ କାର୍ଯ୍ୟାନୁଷ୍ଠାନର ଭୟ ଦେଖାଉଛନ୍ତି। କିନ୍ତୁ ଧାନ କିଣାକୁ ପାଖାପାଖି ୨ ମାସ ବିତିଥିଲେ ମଧ୍ୟ ଚାଷୀଙ୍କ ଅଭିଯୋଗ ସରକାରଙ୍କ କାନରେ ବାଜିନି। ନା କାର୍ଯ୍ୟାନୁଷ୍ଠାନ ହେଉଛି ନା କଟନି ଛଟନିରେ ବ୍ରେକ ଲାଗୁଛି। 

Advertisment
  • ସରକାରଙ୍କୁ ଅକଳରେ ପକାଉଛନ୍ତି ମନ୍ତ୍ରୀ
  • ଧାନ କିଣାକୁ ନେଇ ୨ ମନ୍ତ୍ରୀଙ୍କ ଭିନ୍ନ ମତ 

ବିଜେପି ସରକାରରେ ୨ ମନ୍ତ୍ରୀଙ୍କ ବୟାନ ଏବେ ଧାନକିଣାକୁ ନେଇ ଚାଷୀଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି କରିଛି। କେବଳ ଏତିକି ନୁହେଁ ସରକାରଙ୍କ କଟନୀ ଛଟନୀ ଆଭିମୁଖ୍ୟକୁ ବିରାଟ ପ୍ରଶ୍ନଘେରକୁ ଠେଲି ଦେଇଛି। ଚାଷୀଙ୍କ ଠାରୁ ଧାନ କିଣିବାରେ ଉଭୟ ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗର ଗୁରୁଦାୟିତ୍ବ ରହିଛି। କିନ୍ତୁ ଉଭୟ ବିଭାଗର ମନ୍ତ୍ରୀଙ୍କ କଥାରେ ଏବେ ତାଳମେଳ ରହୁନି। ସମବାୟ ମନ୍ତ୍ରୀ କଟନୀ ଛଟନୀ ଅଭିଯୋଗରେ ହଁ ଭରିଥିବା ବେଳେ ନିଜ ଦୋଷ ଘୋଡାଇବାକୁ ଯୋଗାଣ ମନ୍ତ୍ରୀ ପରୋକ୍ଷରେ ଚାଷୀଙ୍କ ମୁଣ୍ଡକୁ ଦୋଷ ଠେଲିଛନ୍ତି। ବୁଝାମଣାରେ କଟନି ଛଟନି ହେଉଥିବ ବୋଲି ସଫେଇ ଦେଇଛନ୍ତି। 

କଟନି ଛଟନିକୁ ନେଇ ଉଭୟ ମନ୍ତ୍ରୀଙ୍କ ବୟାନ ଭିତରେ ଚାଷୀ ମଣ୍ଡିର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛନ୍ତି। ଏଫଏକ୍ୟୁ ମାନର ଧାନ ନଥିବା କହି ମିଲର ମାନେ ମଣ୍ଡିରେ କଟନି ଛଟନି କରୁଥିବା ଅଭିଯୋଗ କରୁଛନ୍ତି। ଏପରିକି ଧାନ ଉଠୁନଥିବାରୁ ବିଭିନ୍ନ ସ୍ଥାନରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ। 

ଚାଷୀଙ୍କ ଅଭିଯୋଗ ଓ ମନ୍ତ୍ରୀଙ୍କ ବୟାନ ଭିତରେ ଏବେ ସୁଦ୍ଧା ସରକାର  ୩୪ ଲକ୍ଷ ୨୯ ହଜାର ମେଟ୍ରିକ ଟନ୍ ଧାନ କିଣିଛନ୍ତି। କଟନି ଛଟନିରୁ ରକ୍ଷା ପାଇବାକୁ ଖରାପ ଧାନ ମଣ୍ଡିକୁ ନ ଆଣିବାକୁ ଚାଷୀଙ୍କୁ କହିଛନ୍ତି ଯୋଗାଣମନ୍ତ୍ରୀ। ଅନ୍ୟପଟେ ଚାଷୀ କହୁଛନ୍ତି, ସରକାର ବଦଳିଲା, କିନ୍ତୁ ସେମାନଙ୍କର ଭାଗ୍ୟ ବଦଳିଲାନି।