ଦମୟନ୍ତୀଙ୍କ ଦୁଃଖ ଶୁଣିବାକୁ କେହି ନାହିଁ ; ଦଦରା ଘରେ ବିତୁଛି ଜୀବନ

Advertisment

କେବେ ସରକାରୀ ବିଧି ବ୍ୟବସ୍ଥାରେ ଏ ବୃଦ୍ଧା ଜଣକ ଆବାସଟିଏ ପାଇବାକୁ ଯୋଗ୍ୟ ହୋଇପାରିବେ ? ନା ଘର ଅଛି ନା ପରିବାର । ଜାଗା ଖଣ୍ଡେ ନ ଥିବାରୁ ୩ ପୁଅ ବୋହୂ ଭୂମିହୀନ ହୋଇ ଏଣେ ତେଣେ ମୁଣ୍ଡ ଗୁଞ୍ଜିଛନ୍ତି ।

କେବେ ସରକାରୀ ବିଧି ବ୍ୟବସ୍ଥାରେ ଏ ବୃଦ୍ଧା ଜଣକ ଆବାସଟିଏ ପାଇବାକୁ ଯୋଗ୍ୟ ହୋଇପାରିବେ ? ନା ଘର ଅଛି ନା ପରିବାର । ଜାଗା ଖଣ୍ଡେ ନ ଥିବାରୁ ୩ ପୁଅ ବୋହୂ ଭୂମିହୀନ ହୋଇ ଏଣେ ତେଣେ ମୁଣ୍ଡ ଗୁଞ୍ଜିଛନ୍ତି ।

Damayanti

Damayanti Photograph: (kanak news)

କନକ ବ୍ୟୁରୋ : ଆଉ କେତେ ବର୍ଷ ବା ଜୀବନ । ଆଉ କେତେ ସହିବ ଏ ମଣିଷ । ଜୁଇ ପର୍ଯ୍ୟନ୍ତ ଏ ଦଦରା ଘରେ ବିତିବ କି ଦମୟନ୍ତୀଙ୍କର ? କେବେ ସରକାରୀ ବିଧି ବ୍ୟବସ୍ଥାରେ ଏ ବୃଦ୍ଧା ଜଣକ ଆବାସଟିଏ ପାଇବାକୁ ଯୋଗ୍ୟ ହୋଇପାରିବେ ? ନା ଘର ଅଛି ନା ପରିବାର । ଜାଗା ଖଣ୍ଡେ ନ ଥିବାରୁ ୩ ପୁଅ ବୋହୂ ଭୂମିହୀନ ହୋଇ ଏଣେ ତେଣେ ମୁଣ୍ଡ ଗୁଞ୍ଜିଛନ୍ତି । ନିଜ ମୁଣ୍ଡ ଉପରେ ଛାତ ନଥିବାରୁ ମା’କୁ ଏହି ପଲା ତଳେ ଛାଡ଼ି ଦେଇଛନ୍ତି । ପିଲାଙ୍କଠୁ ପର ହୋଇଯିବା ପରେ ସରପଞ୍ଚ ବାବୁଙ୍କ ପାଖରେ କାକୁତିମିନତି ହେଉଛନ୍ତି । ବାକି ବଳକା ଜୀବନ ଗଣ୍ଡାଏ ଖାଇ ଦଣ୍ଡେ ବଞ୍ଚିବା ପାଇଁ ଗୁହାରି କରୁଛନ୍ତି । ସେ ହେଉଛନ୍ତି ଆଠଗଡ଼ ବ୍ଲକ ଓରନ୍ଦା ପଞ୍ଚାୟତର ବାଳି ଗାଁର ଦମୟନ୍ତୀ କାଳିଆ । ବୟସ ୮୦ ଟପିଲାଣି , ହେଲେ ଘର ଖଣ୍ଡେ ନାହିଁ । ଆବାସ ଘର ପାଇଁ ସରପଞ୍ଚଙ୍କ ପ୍ରତିନିଧିଙ୍କୁ ଧରି ବାହୁନି ବାହୁନି କାନ୍ଦୁଛି ବୃଦ୍ଧା ଜଣଙ୍କ । ଘର ପାଇବା ପାଇଁ କନକନ୍ୟୁଜ ମାଧ୍ୟମରେ ସରକାରଙ୍କୁ କରିଛନ୍ତି ଗୁହାରି । 

ସରକାରଙ୍କ ଭତ୍ତା ଟଙ୍କା ଅନଲାଇନ ହେବାରୁ ବ୍ୟାଙ୍କରେ ଭତ୍ତା ଟଙ୍କା ରହିଛି । ଭତ୍ତା ଆଣିବାକୁ ହେଲେ, ଅଟୋ ଭଡ଼ା ୫୦୦ ଟଙ୍କା ଦେବା ସହିତ ୨ ଜଣଙ୍କର ସହାୟତା ନେବାକୁ ପଡୁଛି । ସେଥିପାଇଁ ପଇସା ବି ଉଠାଇପାରୁନାହାନ୍ତି ଦମୟନ୍ତୀ । ପରିବାର କହିଲେ ୩ ପୁଅ, ତିନି ବୋହୂ ଓ ନାତି ନାତୁଣୀ , ସମସ୍ତେ ଭୂମିହୀନ । ଘର ନଥିବାରୁ ସେମାନେ ବି ଦମୟନ୍ତୀଙ୍କୁ ପାଖରେ ରଖି ପାରୁ ନାହାନ୍ତି । ଭଙ୍ଗା ଦଦରା ଘରେ ପଡ଼ିରହି ଅସହାୟ ମଣୁଛନ୍ତି ଦମୟନ୍ତୀ । ବୟସର ଅପରାହ୍ନରେ ସରକାରଙ୍କର ଯୋଜନା ବହୁତ ସାହାଯ୍ୟ କରେ । ହେଲେ ଦୁଃଖର ବିଷୟ ହେଉଛି ଦମୟନ୍ତୀ ଘର ଖଣ୍ଡେ ପାଇବା ପାଇଁ ସରକାରଙ୍କୁ ଆବେଦନ କରିଥିଲେ ବି ଆଜି ଯାଏଁ ପାଇପାରିନାହାନ୍ତି । ଏଣୁ ବର୍ଷ ବର୍ଷ ଧରି ସେହି ଝାଟି ମାଟି ପାଲଟଣା ଭଙ୍ଗା ଦଦରା ଘରେ ହାଡ଼ଭଙ୍ଗା ଶୀତରେ ଜୀବନ ବିତାଉଛନ୍ତି ଦମୟନ୍ତୀ । ଓଳିଏ ଖାଇଲେ ଓଳିଏ ଉପାସ। ଭତ୍ତା ଟଙ୍କାରେ ଭଙ୍ଗା ଘରେ ପାଲ ପକାଇବା ଓ ଛପର କରିବାକୁ ବି ଅସମର୍ଥ ।

ଅଧିକ ପଢ଼ନ୍ତୁ---ଜୀବନ ନର୍କ କରିଦେଲେ କ୍ୱାକ୍: କାଳ ହେଲା କରେଣ୍ଟ ଚିକିତ୍ସା

ସରକାରଙ୍କ ରାସନ କାର୍ଡରେ ୫କିଲୋ ଚାଉଳ ପରିବର୍ତ୍ତେ ଅନ୍ତ୍ୟୋଦୟରେ ଅନ୍ତର୍ଭୁକ୍ତ କରି ୩୫ କିଲୋ ଚାଉଳ ଓ ଆବାସ ଘର ପାଇଁ ଗୁହାରି କରିଛନ୍ତି ଦମୟନ୍ତୀ । ଏ ନେଇ ସ୍ଥାନୀୟ ସରପଞ୍ଚ ୨୦୨୩ ମସିହାରେ ଆଠଗଡ଼ ବିଧାୟକ, ଉପଜିଲ୍ଲାପାଳ, ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଆବାସ ଯୋଜନା ତାଲିକାରେ ଦମୟନ୍ତୀ ନାମ ବି ଆସିଥିଲା । ହେଲେ ଦମୟନ୍ତୀ ଭୂମିହୀନ ଥିବାରୁ ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡେ ମିଳି ପାରିଲା ନାହିଁ । ପୁରୁଣା ସରକାର ଯାଇ ନୂଆ ସରକାର ଆସିଲା ପରେ ମଧ୍ୟ ଦମୟନ୍ତୀଙ୍କ ଦୁଃଖ କେହି ବୁଝି ନାହାନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe