କନକ ବ୍ୟୁରୋ : କେବେବି ସୁଧୁରିବନି ପାକିସ୍ତାନ, ଖାଲି ଆତଙ୍କୀ ପୋଷି ପୋଷି ହୋଇଯିବ କାଙ୍ଗାଳ । ନିଜ ଦେଶର ଜନସାଧାରଣଙ୍କ ପ୍ରତି ଧ୍ୟାନ ଦେଉନି ପାକ୍ । ଆତଙ୍କୀ କାର୍ଯ୍ୟକଳାପ ପାଇଁ ଗୋଟିଏ ପଟେ ପାକିସ୍ତାନ ଋଣ ନେଇ କିଣୁଛି ଅସ୍ତ୍ରଶସ୍ତ୍ର କିନ୍ତୁ ଅନ୍ୟପଟେ ସେଠାରେ ରହୁଥିବା କୋଟି କୋଟି ଲୋକ ଖାଇବାକୁ ପାଉନାହାନ୍ତି, ଭୋକରେ ଆଉଟୁପାଉଟୁ ହେଉଛନ୍ତି ସାଧାରଣ ଜନତା ।
କୁପୋଷଣର ଶିକାର ହେଉଛନ୍ତି ଯୁଦ୍ଧ କ’ଣ ଜାଣିନଥିବା ଶିଶୁ । ଜାତିସଂଘ ଖାଦ୍ୟ ଏବଂ କୃଷି ସଂଗଠନ ଏହାକୁ ନେଇ ଲାଟେଷ୍ଟ୍ ରିପୋର୍ଟ ପ୍ରକାଶ କରିଛି । ରିପୋର୍ଟରେ କୁହାଯାଇଛି ଯେ ନଭେମ୍ବର ୨୦୨୪ରୁ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ପାକିସ୍ତାନରେ ଖାଦ୍ୟ ଅଭାବ ବୃଦ୍ଧି ପାଇଛି । ଯେଉଁଥିରେ ୧ କୋଟି ୧୦ ଲକ୍ଷ ଲୋକ ଖାଦ୍ୟାଭାବର ସମ୍ମୁଖୀନ ହୋଇଛନ୍ତି । ଖୋଦ ପାକିସ୍ତାନର ଡନ୍ ନାମକ ଦୈନିକ ଖବରକାଗଜରେ ଏହି ରିପୋର୍ଟ ପ୍ରକାଶ ପାଇଛି ।
ଶୁକ୍ରବାର, ମେ ୧୬ ତାରିଖରେ ଜାତିସଂଘ ଖାଦ୍ୟ ଏବଂ କୃଷି ସଂଗଠନ (FAO) ଦ୍ୱାରା ୨୦୨୫ ଖାଦ୍ୟ ସଙ୍କଟ ରିପୋର୍ଟ ଆସିଛି । ବିଶ୍ୱସ୍ତରୀୟ ରିପୋର୍ଟକୁ ଆଧାର କରି ଡନ୍ ପ୍ରକାଶ କରିଛି ଯେ ବଲୁଚିସ୍ତାନ, ସିନ୍ଧ ଏବଂ ଖେୱର ପଖତୁନଖ୍ୱାର ଆଦି ୬୮ଟି ବନ୍ୟା ପ୍ରଭାବିତ ଗ୍ରାମୀଣ ଜିଲ୍ଲାରେ ୧୧ ମିଲିୟନ୍ ଲୋକ ଏବଂ ଗଣନା କରାଯାଇଥିବା ଜନସଂଖ୍ୟାର ୨୨ ପ୍ରତିଶତ ଲୋକ ଗମ୍ଭୀର ଖାଦ୍ୟାଭାବର ସମ୍ମୁଖୀନ ହେବାର ଆକଳନ କରାଯାଇଛି ।
ଏଥିରେ ଜରୁରୀକାଳୀନ ପରିସ୍ଥିତିରେ ରହୁଥିବା ୧୭ ଲୋକ ଲକ୍ଷ ଲୋକ ଅନ୍ତର୍ଭୁକ୍ତ । ଡନ୍ର ରିପୋର୍ଟ ଅନୁଯାୟୀ ୨୦୨୪-୨୫ର ଗଣନା ଅନୁସାରେ ପାକିସ୍ତାନ ଜନସଂଖ୍ୟା ୩୮ ପ୍ରତିଶତ ବୃଦ୍ଧି ପାଇଛି । ଜନସଂଖ୍ୟା ଯେତିକି ବଢ଼ୁଛି ଖାଦ୍ୟର ଅଭାବ ମଧ୍ୟ ସେତିକି ବଢ଼ି ବଢ଼ି ଚାଲିଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ବନ୍ୟା,ବାତ୍ୟା ଏବଂ ମରୁଡ଼ି ଯୋଗୁଁ ଲୋକଙ୍କ ଜାବନ ଜୀବିକା ପ୍ରଭାବିତ ମଧ୍ୟ ହୋଇଛି ।
ଖାଲି ସେତିକି ନୁହେଁ ପାକିସ୍ତାନରେ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନେ କୁପୋଷଣର ଶୀକାର ହେଉଛନ୍ତି । ଜାତିସଂଘର ରିପୋର୍ଟରେ ପାକ୍କୁ ଚେତାବନୀ ମଧ୍ୟ ଦିଆଯାଇଛି । କୁହାଯାଇଛି ଯେ ଜଳବାୟୁ ସଙ୍କଟ ଏବଂ ଖାଦ୍ୟ ଅଭାବ ୨୦୨୫ ମସିହାରେ ପୂର୍ବରୁ ଥିବା ଗୁରୁତର କୁପୋଷଣ ସ୍ଥିତିକୁ ଆହୁରି ସାଂଘାତିକ ଖରାପ କରିପାରେ । ବାରମ୍ବାର ଚେତାବନୀ ପରେ ବି ନିଜ ଅଭ୍ୟାସ ଛାଡ଼ୁ ନି ପାକିସ୍ତାନ । ଆତଙ୍କୀ କାର୍ଯ୍ୟକଳାପ ପାଇଁ ଋଣ କରି କିଣୁଛି ଅସ୍ତ୍ର । ଯଦି ସ୍ଥିତି ଏମିତି ରହିଲା ତେବେ ପାକିସ୍ତାନକୁ କାଙ୍ଗାଳ ହେବାକୁ ଆଉ ବେଶି ଦିନ ଲାଗିବନି । ଏହାକୁ ନେଇ କୌଣସି ସନ୍ଦେହ ନାହିଁ ।