କନକ ବ୍ୟୁରୋ : ଦୀର୍ଘ ୩ ମାସ ହେଲାଣି ମିଳୁନି ଭତ୍ତା ଟଙ୍କା । ସରକାରୀ ବାବୁଙ୍କୁ ପଚାରିଲେ କହୁଛନ୍ତି ଭତ୍ତା ଟଙ୍କା ସରିଯାଇଛି । ବାଡ଼ି ଖଣ୍ଡିଏ ଧରି ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଗଲେ ବି କେହି ଦୁଃଖ ବୁଝୁନାହାଁନ୍ତି । ଶେଷରେ ଅନ୍ୟ କିଛି ଉପାୟ ନପାଇ ବିଡିଓଙ୍କ ଦ୍ବାରସ୍ଥ ହୋଇଛନ୍ତି ଜଣେ ଦିବ୍ୟାଙ୍ଗ ବ୍ୟକ୍ତି । ଅନ୍ୟପଟେ କାର୍ଯ୍ୟ ବାବଦରେ ପ୍ରଶ୍ନ କଲେ ପଞ୍ଚାୟତରେ ସରପଞ୍ଚଙ୍କୁ ଦୁର୍ବବ୍ୟହାର କରାଯାଉଥିବା ଅଭିଯୋଗ ଆଣିଛନ୍ତି ଖୋଦ ସରପଞ୍ଚ । ପୁରୀ ଜିଲ୍ଲା କେତକୀପାଟଣରୁ ଆସିଛି ଏପରି ଖବର ।

ପୁରୀ କେତକୀପାଟଣା ପଞ୍ଚାୟତର ବେଣୁଧର ମଲ୍ଲିକ । ୭୫ ପ୍ରତିଶତ ଭିନ୍ନକ୍ଷମ । ହାତରେ ବାଡ଼ି ଖଣ୍ଡିଏ ଧରିଲେ ବାଟ ଚାଲନ୍ତି । ଅଧିକ ପରିଶ୍ରମ କରିପାରନ୍ତିନାହିଁ । ଭତ୍ତା ଟଙ୍କାରେ ପରିବାର ଚଳେ । ହେଲେ ବେଣୁଧରଙ୍କୁ ୩ ମାସ ହେଲାଣି ଭତ୍ତା ମିଳିନାହିଁ । ପଚାରିଲେ ପଞ୍ଚାୟତ ଅଧିକାରୀ ଭତ୍ତା ଟଙ୍କା ସରିଯାଉଥିବା କହୁଥିବା ଅଭିଯୋଗ କରିଛନ୍ତି ବେଣୁଧର । ଖାଲି ସେତିକି ନୁହଁ, ଭତ୍ତା ବାବଦରେ ପଚାରିଲେ ପଞ୍ଚାୟତ କର୍ମଚାରୀ ଦୁର୍ବବ୍ୟହାର କରୁଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି କେତକୀପାଟଣା ସରପଞ୍ଚ ବିନତି ନାୟକ, ଏବଂ ନ୍ୟାୟ ପାଇଁ ସତ୍ୟବାଦୀ ବିଡିଓଙ୍କ ଦ୍ବାରସ୍ଥ ହୋଇଛନ୍ତି ବେଣୁଧର ଓ ସରପଞ୍ଚ ବିନତୀ ନାୟକ । 

Advertisment

ଉଭୟ ଦିବ୍ୟାଙ୍ଗ ହିତାଧିକାରୀ ଓ ସରପଞ୍ଚଙ୍କ ଅଭିଯୋଗ ପରେ ତତ୍ପରତା ଦେଖିବାକୁ ମିଳିଛି । ବେଣୁଧରଙ୍କ ଆଧାର କାର୍ଡରେ ଥିବା ତ୍ରୁଟିର ସଂଶୋଧନ କରାଯାଇ ଖୁବଶୀଘ୍ର ଭତ୍ତା ଦିଆଯିବାର ବ୍ୟବସ୍ଥା କରାଯିବା ସହ ମହିଳା ସରପଞ୍ଚଙ୍କୁ ଦୁର୍ବବ୍ୟହାର ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସତ୍ୟବାଦୀ ବିଡିଓ । ତେବେ ଏଭଳି ସଙ୍ଗୀନ ଅଭିଯୋଗର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।