କନକ ବ୍ୟୁରୋ : ଶ୍ରୀଜଗନ୍ନାଥଙ୍କ ହିସାବ ନିରୀକ୍ଷକ ଶ୍ରୀଜମ୍ବେଶ୍ବରଙ୍କ ନୀତିକାନ୍ତି ପାଇଁ ଅର୍ଥ ଅଭାବ । ବ୍ୟାଙ୍କରେ ଜମାଥିବା ଅର୍ଥର ସୁଧ ଟଙ୍କାରେ ନୀତିକାନ୍ତି ହେଉଛି । ଦେବୋତ୍ତର ବିଭାଗ କିଛି ବୁଝୁନାହିଁ । ଏପରିକି ସେବକ ହାତରୁ ଖର୍ଚ୍ଚ କରି ଦିଅଁଙ୍କୁ ଚନ୍ଦନ ଯାତ୍ରାକୁ ନେଉଛନ୍ତି । ଏନେଇ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଶ୍ରୀଜମ୍ବେଶ୍ବରଙ୍କ ଜମିବାଡ଼ି ବିକ୍ରିରୁ ୮୦ ହଜାର ଟଙ୍କା ସହାୟତା ମିଳିଥିଲା। ବ୍ୟାଙ୍କରେ ଜମା ଥିବା ସେହି ଅର୍ଥ ଉପରେ ମିଳୁଥିବା ସୁଧ ଟଙ୍କାରେ ଶ୍ରୀଜମ୍ବେଶ୍ବରଙ୍କ ନୀତିକାନ୍ତି ହେଉଛି । ୨୦୧୭ରୁ ଦେବୋତ୍ତର ବିଭାଗ ଟଙ୍କାଟିଏ ଦେଉନାହିଁ । ସେବେଠାରୁ ସେଇ ସୁଧ ଟଙ୍କା ହିଁ ଶ୍ରୀଜମ୍ବେଶ୍ବରଙ୍କ ଭରସା। ବିଡ଼ମ୍ବନାର ବିଷୟ, ଦୈନିକ ୨ କେଜି ଚାଉଳ, ଅଧକେଜି ଡାଲି ଓ ୧୦୦ ଗ୍ରାମ୍ ଘିଅ ଦେଇ ଶ୍ରୀମନ୍ଦିର ପ୍ରଶାସନ କାମ ସାରି ଦେଉଛି । ଏନେଇ ଜମ୍ବେଶ୍ବରଙ୍କ ସେବାୟତ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଶ୍ରୀଜମ୍ବେଶ୍ବର ମନ୍ଦିର ଦେବୋତ୍ତର ବିଭାଗ ଦାୟିତ୍ବରେ ଅଛି। ହେଲେ ଯାନିଯାତ୍ରା କି ନୀତିକାନ୍ତି ପାଇଁ କୌଣସି ସହାୟତା ମିଳୁନି। କେବଳ ଶିବରାତ୍ରିରେ ୧ ହଜାର, ଶିବ ବିବାହରେ ୫ ଶହ ଓ ଦୋଳ ପୂର୍ଣ୍ଣମୀରେ ୫ ଶହ ଟଙ୍କା ମିଳୁଛି। ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରାରେ ଶ୍ରୀଜମ୍ବେଶ୍ବର ସାମିଲ ହେଉଥିଲେ ବି କିଛି ସହାୟତା ମିଳୁନାହିଁ। ତେଣୁ ଦେବୋତ୍ତର ବିଭାଗ କାହିଁକି ଦାୟିତ୍ବରେ ଅଛି ବୋଲି ପ୍ରଶ୍ନ ଉଠିଛି । ତେବେ ଶାଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଐତିହ୍ୟର ବିକାଶ ଲାଗି ପାଣି ପରି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଶ୍ରୀମନ୍ଦିର ସହ ସଂଶ୍ଳିଷ୍ଟ ଶ୍ରୀଜମ୍ବେଶ୍ବର ମନ୍ଦିରର ରକ୍ଷଣାବେକ୍ଷଣ କି ନୀତିକାନ୍ତି କଥା ସମସ୍ତେ ଭୁଲି ଯାଇଛନ୍ତି ।