କନକ ବ୍ୟୁରୋ : ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବିକାଶ କରିବା ପାଇଁ ହୋଟେଲ ଶିଳ୍ପ ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଉଛନ୍ତି ସରକାର । ଭୋଗରାଇ ବ୍ଲକ ବିଚିତ୍ରପୁର ପ୍ରକୃତି ନିବାସ ନିକଟରେ ଇଡୋକ ପକ୍ଷରୁ ହୋଟେଲ କରିବାକୁ ଯୋଜନା ଚାଲିଛି । ଏକଥା ଜାଣିବା ପରେ ପ୍ରସ୍ତାବିତ ହୋଟେଲ ଶିଳ୍ପକୁ ବିରୋଧ କରି ଏକାଠି ହୋଇଛନ୍ତି ଉପକୂଳିଆ ଗ୍ରାମବାସୀ । ଗାଁରେ ମେଳି ବାନ୍ଧିଛନ୍ତି । ମରିବେ ପଛେ ହେଲେ ହୋଟେଲ୍‌ ପାଇଁ ଜମି ଦେବେ ନାହିଁ ବୋଲି ଅଡ଼ି ବସିଛନ୍ତି । ସ୍ଥାନୀୟ ତହସିଲଦାରଙ୍କ ସମେତ ବାଲେଶ୍ବର ଜିଲ୍ଲାପାଳଙ୍କୁ ଅବଗତ କରିବେ ବୋଲି କହିଛନ୍ତି । 

Advertisment

ବିଚିତ୍ରପୁର ଇକୋ ଟୁରିଜିମ୍‌ର ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ପ୍ରତିଦିନ ପର୍ଯ୍ୟଟକ ଆସିଥାନ୍ତି । ହେଲେ ରହିବା ଓ ଖାଇବାର ସୁବ୍ୟବସ୍ଥା ନଥିବାରୁ ନିରାଶ ହୋଇଥାନ୍ତି । ତାକୁ ନଜରରେ ରଖି ହୋଟେଲ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ହେଲେ ସମୁଦ୍ର କୂଳରେ ଥିବା ଚରାଭୂଇଁରେ ଚାଷବାସ କରିଥାନ୍ତି ସ୍ଥାନୀୟ ଲୋକେ । ତେଣୁ ସେମାନେ ଜାଗା ଛାଡ଼ିବାକୁ ନାରାଜ । ଏବେଠୁ ବିରୋଧ କରିବା ଆରମ୍ଭ କଲେଣି । ଗାଁ ଲୋକଙ୍କ କହିବା ଅନୁସାରେ, ଭାତହାଣ୍ଡି ସାଜିଥିବା ଏହି ଜମି ଛଡ଼ାଇ ନେଲେ ସେମାନେ ସର୍ବହରା ହୋଇଯିବେ । ତେଣୁ ହୋଟେଲ ଶିଳ୍ପ ଏଠାରେ ନକରି ଅନ୍ୟସ୍ଥାନରେ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।