କନକ ବ୍ୟୁରୋ : ବିନା ଡାକ୍ତରରେ ଚାଲିଛି ଡାକ୍ତରଖାନା । ଦିନେ ଏହି ଡାକ୍ତରଖାନାରେ ଅଭିଜ୍ଞ ଡାକ୍ତରଙ୍କ ସହ ଅନ୍ୟ କର୍ମଚାରୀ ବି ଥିଲେ । ହେଲେ ଆଜି ନାହାନ୍ତି ଡାକ୍ତର କି ମିଳୁନି ସେବା । ଦିନେ ୬ଜଣ ଅଭିଜ୍ଞ ଡ଼ାକ୍ତର ଓ ୩୫ ଜଣ ସ୍ବାସ୍ଥ୍ୟ କର୍ମଚାରୀ ଥିବା ଡ଼ାକ୍ତରଖାନାରେ ଆଜି କେହି ଡ଼ାକ୍ତର ନାହାନ୍ତି । ଡାକ୍ତରଖାନା ପରିସର ଶୂନଶାନ ହୋଇପଡିଛି । କେବଳ ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ନୁହଁ କୋରାପୁଟ  ଓ କଳାହାଣ୍ଡି ଜିଲ୍ଲାର କିଛି ପଞ୍ଚୟାତର ଲୋକ ଏହା ଉପରେ ଭରସା କରିଆସୁଥିଲେ ।  କିନ୍ତୁ ଜଳ ବିଦ୍ୟୁତ ନିଗମର ଅବହେଳତା ଇନ୍ଦ୍ରାବତୀ ଡ଼ାକ୍ତରଖାନାର ଭାଗ୍ୟକୁ ଅନ୍ଧାରକୁ ଠେଲି ଦେଇଛି । ଡ଼ାକ୍ତରଖାନାର ସବୁ ରୁମରେ ତାଲା ଝୁଲୁଛି । ସାମାନ୍ୟ ଜ୍ବର ଥଣ୍ଡା ପାଇଁ ବି ୩୫ କିଲୋମିଟର  ଯିବାକୁ ପଡ଼ୁଛି ବୋଲି ଅଭିଯୋଗ କରିଛନ୍ତି ପ୍ରକଳ୍ପ ବାସିନ୍ଦା । 

Advertisment

ପ୍ରକଳ୍ପ ସରିଯାଇଛି, ଯାତୟତ ବି ବନ୍ଦ ହୋଇଯାଇଛି । ଲୋକଙ୍କୁ ଖର୍ଚ୍ଚାନ୍ତି ହୋଇ ଚିକିତ୍ସା ପାଇଁ ଯିବାକୁ ପଡ଼ୁଛି । ଜଳ ବିଦ୍ୟୁତ ନିଗମ ପ୍ରକଳ୍ପର ୧୦ ପ୍ରତିଶତ ଅର୍ଥରାଶି ପାର୍ଶ୍ୱିକ ବିକାଶ ପାଇଁ ଖର୍ଚ୍ଚ କରିବା କଥା କିନ୍ତୁ ସଂସ୍ଥା ଏପରି  କରୁନାହିଁ । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି । ସେପଟେ ସମସ୍ୟା ପ୍ରତି ଗୁରୁତ୍ବ ଦେବାକୁ ମିଳିଛି ପ୍ରତିଶ୍ରୁତି । ତେବେ ଲୋକଙ୍କ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ବ ଦିଆଯାଇ ଇନ୍ଦ୍ରାବତୀ ଡ଼ାକ୍ତରଖାନାରେ ଡାକ୍ତର ନିଯୁକ୍ତି କରାଯାଇପାରିଲେ ସ୍ଥାନୀୟ ଲୋକ ଉପକୃତ ହୋଇପାରିବେ ।