କନକ ବ୍ୟୁରୋ: ରାଜ୍ୟର ବିଦ୍ୟୁତ ବିତରଣ ଦାୟିତ୍ୱ ନେଇଛି ଟାଟା କମ୍ପାନୀ । ବିଦ୍ୟୁତ ଭିତ୍ତିଭୂମି ବିକାଶ ନାଁରେ ନାନା ପଦକ୍ଷେପ ନେଉଛି ସଂପୃକ୍ତ ସଂସ୍ଥା । ପୁରୁଣା ମିଟର ବଦଳାଇ ଏବେ ଘରେ ଘରେ ଲଗାଉଛି ସ୍ମାର୍ଟ ମିଟର । ସେହି ମିଟରରେ ଆକାଶ ଛୁଆଁ ବିଦ୍ୟୁତ ବିଲ ଆସୁଥିବା ଅଭିଯୋଗ ହୋଇଛି । ମାଲକାନଗିରିର ବିଲ୍ ଦେଖି ତାଜୁବ୍ ହେଉଛନ୍ତି । ବିଜୁଳ ଖର୍ଚ୍ଚ ଠାରୁ ଅତି ଅଧିକ ବିଲ ଆସୁଥିବା ଅଭିଯୋଗ କରି ଟିପିଏସଓଡିଏଲ କମ୍ପାନୀର ଦ୍ୱାରସ୍ଥ ହୋଇଛନ୍ତି ।

Advertisment

 ପୁରୁଣା ମିଟର ବଦଳାଉଛି ବିଦ୍ୟୁତ ବିତରଣ କମ୍ପାନୀ ସଂସ୍ଥା ଟାଟା ପାୱାର । ବିନା ଅନୁମତିରେ ପୁରୁଣା ମିଟର କାଢ଼ି ନୂଆ ସ୍ମାର୍ଟ ମିଟର ବସାଉଛି କମ୍ପାନୀ । ରାଜ୍ୟର ଅନ୍ୟ ସ୍ଥାନ ଭଳି ମାଲକାନଗିରିରେ ମଧ୍ୟ ମିଟର ପରିବର୍ତ୍ତନ ନିଷ୍ପତିକୁ ବିରୋଧ କରାଯାଇଛି । ନୂଆ ମିଟର ଲାଗିବା ପରେ ବିଜୁଳି ବ୍ୟବହାର ଠାରୁ ୩ରୁ ୪ ଗୁଣା ଅଧିକ ବିଲ୍ ଆସୁଥିବା ଅଭିଯୋଗ କରିଛନ୍ତି । 

ସୁଜନଙ୍କ ଘରେ ୯ ୱାଟ୍‌ର ୩ଟି ଏଲ୍‌ଇଡି ବଲ୍‌ବ ଓ ୨ଟି ଫ୍ୟାନ ଅଛି । ଏହାବାଦ ଅନ୍ୟ କୌଣସି ବିଦ୍ୟୁତ୍‌ ଉପକରଣ ନାହିଁ । ଗତ ମାସରେ ବିଦ୍ୟୁତ୍‌ ବିଲ୍‌ ଆସିଛି ୧୪ ଶହ ଟଙ୍କା । ସେହିପରି ଖଲାସି କାମ କରୁଥିବା ସହଦେବ ବେନିଆଙ୍କ ଘରୁ ୬ମାସ ହେବ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଛି। କିନ୍ତୁ ବାରମ୍ବାର ତାଙ୍କ ଘରକୁ ବିଲ୍‌ ଆସୁଛି । ବିନା ସଂଯୋଗୀକରଣରେ ମିଟର ମଧ୍ୟ ଉଠୁଛି ।
 
ଏ ଦୁଇ ଜଣ କେବଳ ଉଦାହରଣ, ପ୍ରାୟ ସବୁ ବସ୍ତିବାସିନ୍ଦାଙ୍କ ସମାନ ଅବସ୍ଥା। ଯେଉଁ ଉପଭୋକ୍ତା ପୂର୍ବରୁ ୫ଶହ ଟଙ୍କାର ବିଲ୍‌ ଦେଉଥିଲେ, ଏବେ ସେମାନଙ୍କୁ ୧୫ଶହରୁ ୨ ହଜାର ଟଙ୍କାର ବିଲ୍ ଧରାଇ ଦେଉଛି ଟାଟା ପାୱାର। ବାରମ୍ବାର ଏମିତି ବିଲ୍ ଧରାଇ ଦେଉଥିବା ସଂସ୍ଥାର ନୀର୍ବାହି ଯନ୍ତ୍ରୀଙ୍କୁ ଭେଟିଛନ୍ତି ଆଶୀର୍ବାଦ କଲୋନୀ ବାସିନ୍ଦା ।  ସ୍ମାର୍ଟ ମିଟର ନାଁରେ ଉପଭୋକ୍ତାଙ୍କୁ ପ୍ରତାରଣା କରାଯାଉଥିବା ଅଭିଯୋଗ ହୋଇଛି ।