କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ।  ଦିନକୁ ଦିନ ଏଠାରେ ସ୍ୱାସ୍ଥ୍ୟସେବା ବିଗିଡିବାରେ ଲାଗିଛି ।  ଡାକ୍ତର ଅଭାବ ଯୋଗୁଁ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ନିରାଶ ହୋଇଫେରୁଛନ୍ତି । ପ୍ରତିଦିନ ଶହ ଶହ ରୋଗୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ବେଳେ ସେମାନଙ୍କୁ ସଠିକ୍ ଭାବେ ଚିକିତ୍ସା ମିଳିପାରୁନି । ମେଡିକାଲରେ ୨୦ ଡାକ୍ତର ପଦବୀରୁ ମାତ୍ର ୫ଜଣ ଅଛନ୍ତି । ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ନିଯୁକ୍ତି ପାଇଥିବା ଡାକ୍ତରଙ୍କୁ ବଦଳି କରିନେବା ଯୋଗୁଁ ରାଜନଗର ବ୍ଲକରେ ସ୍ୱାସ୍ଥ୍ୟସେବା ବିଗିଡିବାରେ ଲାଗିଛି। ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ୱଚ୍ଛତା ଓ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ୧ ନମ୍ବର ସ୍ଥାନ ପାଇଛି । ହେଲେ ଡାକ୍ତର ଅଭାବ ଯୋଗୁଁ ରୋଗୀ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସକାଳ ୭ ରୁ ଆସି ଧାଡି ଲଗାଇ ଦିନ ୧୨ ରୁ ୨ଟା ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି । କେତେବେଳେ ରୋଗୀ ଓ ତାଙ୍କ ସଂପର୍କୀୟ ଡାକ୍ତରଙ୍କୁ ନ ଦେଖାଇ ପାରି ଫେରିଯାଉଛନ୍ତି ତ ଆଉ କେତେବେଳେ ଟଙ୍କା ଦେଇ ପ୍ରାଇଭେଟ ଡାକ୍ତରଙ୍କୁ ଦେଖାଉଛନ୍ତି ବୋଲି କୁହନ୍ତି ରୋଗୀ ମାନେ ।

Advertisment

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ  ପଟାମୁଣ୍ଡାଇ, ଆଳି, ମହାକାଳପଡା ବ୍ଲକର ଲୋକମାନେ ନିର୍ଭରଶୀଳ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁରୋଗ ବିଶେଷଜ୍ଞ, ମେଡିସିନ ଓ ସର୍ଜରୀ ଡାକ୍ତର ପଦବୀ ଦୀର୍ଘଦିନ ହେଲା ଖାଲିପଡିଛି । ୧୨ଜଣ ଏମବିବିଏସ ଡାକ୍ତରଙ୍କ ସ୍ଥାନରେ ମାତ୍ର ୨ଜଣ, ଆସିଷ୍ଟାଂଟସର୍ଜନ ପଦରେ ଜଣେ ଡାକ୍ତର ଓ ଅନ୍ୟଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଅଛନ୍ତି ।  ଡାକ୍ତରଙ୍କୁ ବଦଳି ଓ ଡେପୁଟେସନରେ ପଠାଯିବା ଫଳରେ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ସେପଟେ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସମସ୍ୟା କଥା ସ୍ୱୀକାର କରିଛନ୍ତି । 

ରାତିପାହିଲେ ଶହଶହ ରୋଗୀ ଏହି .ମେଡିକାଲ ଉପରେ ନିର୍ଭର କରୁଥିବା ବେଳେ ଖୁବଶୀଘ୍ର ଏଠାରେ ଡାକ୍ତର ନିଯୁକ୍ତି କରାଯାଇପାରିଲେ ବହୁ ଲୋକ ଉପକୃତ ହୋଇପାରିବେ ।