କନକ ବ୍ୟୁରୋ: ସମ୍ବଲପୁରରେ ୱାଟ୍କୋ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଣିର ମାନକୁ ନେଇ ଖବର ପ୍ରସାରଣ ପରେ ଦ୍ବନ୍ଦ୍ବରେ ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ଗୋଟିଏ କଥା କହୁଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗ କହୁଛି ଆଉ ଗୋଟିଏ କଥା । ତେଣୁ ସନ୍ଦେହ ହେଉଛି, ପାଣି ଯୋଗାଣ ଦାୟିତ୍ୱରେ ଥିବା ୱାଟ୍କୋକୁ କ୍ଲିନ୍ଚିଟ୍ ଦେବାକୁ ଚାଲିଛି କି ପ୍ରୟାସ?
ୱାଟ୍କୋକୁ ଜନସ୍ବାସ୍ଥ୍ୟ ବିଭାଗ କରିଥିବା ଚିଠିକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି । ଗତ ୩ ତାରିଖରେ ଜନସ୍ବାସ୍ଥ୍ୟ ବିଭାଗ ପିଇବା ପାଣିର ମାନ ପରୀକ୍ଷା କରିଥିଲା । ସମ୍ବଲପୁର ଜିଲ୍ଲାପାଳ କହିଛନ୍ତି ଯେ, ର' ୱାଟର ଟେଷ୍ଟ କରାଯାଇଥିବାରୁ ପାଣି ପିଇବା ଉପଯୋଗୀ ନୁହେଁ ବୋଲି ରିପୋର୍ଟ ଆସିଥିଲା । ଏପଟେ କିନ୍ତୁ ଜନସ୍ବାସ୍ଥ୍ୟ ବିଭାଗ ଆଉ କିଛି କହିଛି । ପାଇପ୍ ଦ୍ବାରା ଆସୁଥିବା ପାଣି ହିଁ ପରୀକ୍ଷା କରାଯାଇଛି ଏବଂ ତାହା ପିଇବା ଯୋଗ୍ୟ ନୁହେଁ ବୋଲି ରିପୋର୍ଟରେ ଦର୍ଶାଯାଇଛି ।
ଏପଟେ କିନ୍ତୁ ପାଇପ ଯୋଗେ ଯୋଗାଣ ହେଉଥିବା ପାଣି ପିଉନାହାନ୍ତି ସ୍ଥାନୀୟ ଲୋକ । ରୋଗର ଭୟ ଥିବାରୁ ଯେଉଁମାନେ ବୋରିଂ କରିଛନ୍ତି ତାଙ୍କ ଘରୁ ପାଣି ଆଣି ପିଉଛନ୍ତି ନକ୍ସାପାଲି ବାସିନ୍ଦା । ସେହିପରି ବିଭିନ୍ନ ସ୍ଥାନରେ ପାଇପ୍ରେ ଲିକେଜ୍ ସମସ୍ୟା ଥିବା ମାନିଛନ୍ତି ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାୟକ ।
ସମ୍ବଲପୁରର ବିଭିନ୍ନ ସ୍ଥାନରେ ଏବେ ବି ପାଇପ୍ ଫାଟିଛି । ପିଇବା ପାଣି ଯୋଗାଣ ଅବ୍ୟବସ୍ଥିତ ଢଙ୍ଗରେ ଚାଲିଥିବା ବେଳେ, ପ୍ରଶାସନ କିନ୍ତୁ ୱାଟ୍କୋର ଦୋଷ ତ୍ରୁଟି ଲୁଚାଇବାକୁ ଚେଷ୍ଟା କରୁଥିବା ସନ୍ଦେହ କରାଯାଉଛି ।