କନକବ୍ୟୁରୋ : ମଣିଷ ଓ ଜନ୍ତୁ ଭିତରେ ଚାଲିଛି ଲଢ଼େଇ । କେଉଁଠି ଘରେ ପଶୁଛି, କେଉଁଠି ଆତଙ୍କ ଖେଳାଉଛି । ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହେଉଛନ୍ତି ହାତୀ । କେଉଁଠି ଗାଁ ପୋଖରୀରେ କୁମ୍ଭୀର ଭୟ ବଢ଼ାଇଲା ଚିନ୍ତା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାତୀ ଆତଙ୍କ । ପ୍ରଥମେ ଲୋକେ ହାତୀଙ୍କ ଘର ଭାଙ୍ଗିଦେଲେ। ଏବେ ସେମାନେ ଲୋକଙ୍କ ଘରେ ପଶି ଭଙ୍ଗାରୁଜା କଲେଣି । ଜଙ୍ଗଲ ସରି ସରି ଯାଉଛି ।
ଆଉ ଜଙ୍ଗଲୀ ଜନ୍ତୁ ଜନବସତି ମୁହାଁ ହେଉଛନ୍ତି । ଏଥିରେ କେତେବେଳେ ହାତୀ ତ ଆଉ କେତେବେଳେ ଲୋକଙ୍କ ଜୀବନ ଯାଉଛି । ହାତୀପଲ ଚାଷ ବାସ ନଷ୍ଟ କରୁଛନ୍ତି । ରାଜ୍ୟର ପ୍ରାୟ ୧୦ଟି ଜିଲ୍ଲାରେ ୧୦ ବର୍ଷ ହେଲାଣି ହାତୀ-ମଣିଷ ଲଢ଼େଇ ଚାଲିଛି । ଚଳିତ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଏହି ଲଢ଼େଇରେ ୧୨୦୯ ଜଣଙ୍କ ଜୀବନ ଯାଇଛି ।
୮୮୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ସେହିପରି ମାଲକାନଗିରି ଜିଲ୍ଲା କାଲିମେଳାରେ ନାକେଦମ କରିଥିବା ୫ ଫୁଟିଆ କୁମ୍ଭୀର ଧରିପଡ଼ିଛି। ଏକ ଜାଲ ସହାୟତାରେ କୁମ୍ଭୀରଟି ଗ୍ରାମବାସୀଙ୍କ ସହାୟତାରେ ଧରାପଡିଛି । ଘଡ଼ିଆଳ ପ୍ରଜାତିର ଏହି କୁମ୍ଭୀରକୁ ବନ ବିଭାଗ କର୍ମଚାରୀ ଏକ ଯନ୍ତାରେ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଛାଡିବାକୁ ନେଇଛନ୍ତି ।
ଗତ ୪ ଦିନ ହେଲା ମାଲକାନଗିରି କାଲିମେଳା ବ୍ଲକ ଏମପିଭି ୮୩ରେ ଆତଙ୍କ ଖେଳାଇଥିଲା ଏହି ବଉଳା କୁମ୍ଭୀର। କୁମ୍ଭୀରକୁ ଧରିବାକୁ ବନ ବିଭାଗ ନାକେଦମ ହୋଇପଡିଥିଲା । କିଛିଦିନ ତଳେ ଧରାକୋଟ ଥାନା ଅନ୍ତର୍ଗତ କେ.ରାମଚନ୍ଦ୍ର ପୁର ଗ୍ରାମରେ ବଣୁଆ ମାଙ୍କଡ଼ ଆତଙ୍କ ସୃଷ୍ଟି କରିଥିଲେ। ଆକ୍ରମଣରେ ଗ୍ରାମର ୫ ଜଣ ଶିକାର ହୋଇଥିଲେ। ଏଠି ପ୍ରଶ୍ନ ଉଠୁଛି, କାହିଁକି ମଣିଷ ଓ ଜନ୍ତୁ ମଧ୍ୟରେ ଚାଲିଛି ଏ ଲଢ଼େଇ ।