କନକ ବ୍ୟୁରୋ: ଖୋର୍ଦ୍ଧାରେ ବିଗୁଡୁଛି ଟ୍ରାଫିକ ସମସ୍ୟା । ପର୍ବପର୍ବାଣୀରେ ଅଣାୟତ୍ତ ହୋଇପଡୁଛି ଭିଡ଼ ନିୟନ୍ତ୍ରଣ । ଘଣ୍ଟାଘଣ୍ଟା ଧରି ଫସି ରହୁଛି ଆମ୍ବୁଲାନ୍ସ, ଘରୋଇ ବସ୍‌ । ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଲାଗୁଛି ଅଧିକ ସମୟ । 

Advertisment

ସହର ଜନସଂଖ୍ୟା ବୃଦ୍ଧି ସହ ଯାନବାହନ ସଂଖ୍ୟା ବି ବଢିଛି । ଖୋର୍ଦ୍ଧା ନୟାଗଡ଼ ରୋଡ୍, ଟ୍ରାଫିକ ଛକଠାରୁ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତାରେ ଭିଡ଼ ଜମୁଛି । ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ସହରର ବଡ଼ ସମସ୍ୟା ହେଉଛି ରାସ୍ତାକଡ଼ରେ ଥିବା କ୍ୟାବିନ୍‌ । ରାଜନୀତିର ପଶାପାଲିର କ୍ୟାବିନ୍ ମୁକ୍ତ ସହର ଏକ ପ୍ରକାର ପ୍ରହସନ ପାଲଟିଛି । ଟ୍ରାଫିକ ଛକରୁ କିଛି ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଇଛି । ତେବେ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇନାହିଁ । ଫଳରେ ଟ୍ରାଫିକ ସମସ୍ୟା ଅଣାୟତ୍ତ ହୋଇପଡୁଥିବା ଅଭିଯୋଗ ହୋଇଛି ।

ଖୋର୍ଦ୍ଧା ଦେଇ ଲମ୍ବିଛି ଖୋର୍ଦ୍ଧା-ନୟାଗଡ଼ ୫୭ନଂ ଜାତୀୟ ରାଜପଥ । କନ୍ଧମାଳ, ବଳାଙ୍ଗୀର, ନୟାଗଡ଼ ପଟୁ ପ୍ରତିଦିନ ଯାତ୍ରୀବାହୀ ବସ୍‌, ମାଲବାହୀ ଟ୍ରକ ଓ ଆମ୍ବୁଲାନ୍ସ ଭୁବନେଶ୍ବରକୁ ଯାତାୟାତ କରୁଛି । ଅନ୍ୟପଟେ ଆଖପାଖ ଗାଁକୁ ଯିବା ପାଇଁ ପୁରୁଣା ବସଷ୍ଟାଣ୍ଡରେ ଘରୋଇ ବସ୍‌ ଲାଗୁଛି । ଯାତ୍ରୀଙ୍କ ଭିଡ଼ ଓ ଗାଡ଼ିଘୋଡ଼ା ଯୋଗୁଁ ପୋଷ୍ଟ ଅଫିସ ଛକ, ଗୁରୁଜଙ୍ଗ, କେରଙ୍ଗ, ହଳଦିଆ, ଟାଙ୍ଗିଆପଡ଼ାରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ୍‌ ପୁଲିସକୁ ନାକେଦମ୍‌ ହେବାକୁ ପଡୁଛି । ସେପଟେ ଖୋର୍ଦ୍ଧା ଏସପି କହିଛନ୍ତି, ଟ୍ରାଫିକ ନିୟନ୍ତ୍ରଣ ଲାଗି ମାଷ୍ଟର ପ୍ଳାନ ପ୍ରସ୍ତୁତ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଜବରଦଖଲ ଉଚ୍ଛେଦ ହେଉଛି । ସହରରେ ପାର୍କିଂ ବ୍ୟବସ୍ଥା କରିବା ସହ ସିସିଟିଭି ଲଗାଯିବ ବୋଲି କହିଛନ୍ତି ଏସପି ସାଗରିକା ନାଥ ।

ଖୋର୍ଦ୍ଧା ଜିଲ୍ଲା ମାନ୍ୟତା ପରଠାରୁ ଟ୍ରାଫିକ୍‌ ସମସ୍ୟାରେ ଯୁଝି ହେଉଛନ୍ତି ସହରବାସୀ । ସହରର ପ୍ରବେଶ ଠାରୁ ପ୍ରସ୍ଥାନ ପର୍ଯ୍ୟନ୍ତ ସବୁଠି ଖାଲି ଭିଡ଼ ଆଉ ଭିଡ଼ ।