କନକ ବ୍ୟୁରୋ : ମହାନଦୀ ଉପର ମୁଣ୍ଡରେ ପ୍ରବଳ ବର୍ଷା ଜାରିରହିଛି । ପ୍ରବଳ ବର୍ଷା ଯୋଗୁ ହୀରାକୁଦରେ ଖୋଲିଛି ୧୬ଟି ଗେଟ । ହୀରାକୁଦ ପାଣି ଛାଡିବା ପରେ ନଦୀରେ ଅଢେଇ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ସେଥିପାଇଁ ୧୦ ଜିଲ୍ଲା-ଅନୁଗୋଳ, ବୌଦ୍ଧ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ପୁରୀ, ସମ୍ବଲପୁର ଓ ସୋନପୁରର ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଜିଲ୍ଲାପ୍ରଶାସନକୁ ସଜାଗ ରହିବାକୁ କୁହାଯାଇଛି । ନଦୀ ଶଯ୍ୟାକୁ ଗୃହପାଳିତ ପଶୁଙ୍କୁ ନଛାଡିବା ସହ ଲୋକଙ୍କୁ ନଦୀକୁ ନଯିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ସେପଟେ ଆଜି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆକଳନ କରିଥିବାରୁ ଆବଶ୍ୟକ ପଡିଲେ ହୀରାକୁଦର ଅଧିକ ଗେଟ ଖୋଲାଯିବ କହିଛନ୍ତି ଇଆଇସି ।

Advertisment

ଫୁଲୁଛି ବୈତରଣି, ଜଳକା, ବୁଢ଼ାବଳଙ୍ଗ
ଗୋଟିଏ ପଟେ ମହାନଦୀର ଜଳସ୍ତର ବଢୁଥିବା ବେଳେ ଅନ୍ୟପଟେ ବୈତରଣୀ, ବୁଢାଵଳଙ୍ଗ ଓ ଜଳକା ନଦୀ ଫୁଲିବାରେ ଲାଗିଛି । ବୈତରଣୀ ନଦୀର ଆଖୁଆପଦା ନିକଟରେ ପୁଣି ବିପଦ ସଂକେତଠୁ ମାତ୍ର ୩ ସେଣ୍ଟିମିଟର ତଳେ ପ୍ରବାହିତ ହେଉଛି ପାଣି । ବୈତରଣୀରେ ଛୋଟ ବନ୍ୟାର ଆଶଙ୍କା ରହିଛି । ବାଲେଶ୍ବରରେ ଜଳକା ନଦୀର ଜଳସ୍ତର ମଥାନୀ ଠାରେ ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ମୟୁରଭଞ୍ଜ ବୁଢ଼ାବଳଙ୍ଗ ନଦୀର ଦୁଇ କୂଳ ଛୁଇଁଲାଣି ପାଣି । ପାଣି ବିପଦ ସଙ୍କେତ ତଳେ  ପ୍ରବାହିତ ହେଉଥିଲେ ମଧ୍ୟ ଶିମିଳିପାଳରେ ଅତ୍ୟଧିକ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା ରହିଛି ।..  ଖରସ୍ରୋତା ନଦୀରେ ବନ୍ୟା ଜଳ ଆସିବାରୁ ଯାଜପୁର ବ୍ଲକ ସୁଜନପୁର ପଞ୍ଚାୟତର ହସନପୁର ଦୁଧେଇ ନାଳରେ ପୋଲ ଭାସିଯାଇଛି । ସେପଟେ ବର୍ଷାଜଳ ନିସ୍କାସନ ବାଲେଶ୍ବରରେ ସହରରେ ଲୋକେ ୩ ଦିନ ହେଲାଣି ସମସ୍ୟା ଭୋଗୁଛନ୍ତି । 
ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପାଇଁ ବର୍ଷା ଓ ବଜ୍ରପାତ ନେଇ ସବୁ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ବର୍ଷା ନଥିଲେ ବି ବଜ୍ରପାତ ନେଇ ୨୦ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣି ଜାରି ହୋଇଛି । ଯଦି ବନ୍ୟା ଆସେ ଏକାଧିକ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି ।