କନକ ବ୍ୟୁରୋ: ମାଣ୍ଡିଆ, କଫି, ଅଦା ଓ ହଳଦୀ ଭଳି କୋରାପୁଟରେ କନ୍ଦମୂଳ ଏକ ପ୍ରମୁଖ ଚାଷ । ଆଦିବାସୀ ଅଧ୍ୟୁଷିତ ଲୋକଙ୍କ ରୋଜଗାରର ମାଧ୍ୟମ । ହେଲେ ଉପଯୁକ୍ତ ବଜାର ଏବଂ ଶିତଳଭଣ୍ଡାରର ବ୍ୟବସ୍ଥା ନଥିବାରୁ ଚାଷୀ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ବ୍ୟବସାୟୀଙ୍କୁ ବିକ୍ରି କରି କ୍ଷତି ସହୁଛନ୍ତି । କିଲୋପିଛା ମାତ୍ର ୬ରୁ ୭ ଟଙ୍କାରେ ଚାଷୀଙ୍କଠାରୁ କିଣି ୩୦ରୁ ୪୦ ଟଙ୍କାରେ ବିକ୍ରି କରୁଛନ୍ତି ଆନ୍ଧ୍ର ବ୍ୟବସାୟୀ ।  

Advertisment

କୋରାପୁଟ ଜିଲ୍ଲାର ଜଳବାୟୁ ଏହି ଚାଷ ପାଇଁ ଭାରି ଉପଯୋଗୀ । ବାଲିଆ, ଦୋରସା ମାଟି ଓ ଗଡାଣିଆ ଜମିରେ ଏହି ଚାଷ ବେଶ ଭଲ ଭାବେ ହେଉଛି । ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଏହି ଚାଷ କରାଯାଉଛି । ୩ରୁ ୪ ମାସ ଭିତରେ ଅମଳ ହେଉଛି ।  କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି, ସେମିଳିଗୁଡ଼ା,ଦଶମନ୍ତପୁର, ନନ୍ଦପୁର ବ୍ଲକରେ ପ୍ରଚୁର ପରିମାଣ ଚାଷ କରାଯାଉଛି । ବଜାର କି ପ୍ରକିୟାକରଣ ବ୍ୟବସ୍ଥା ନଥିବାରୁ ଏହାର ଚାହିଦା ଥିଲେ ମଧ୍ୟ ଲାଭ ପାଉଛି ପଡୋଶୀ ରାଜ୍ୟ । 

କୋରାପୁଟ କନ୍ଦମୂଳରୁ ମିଳିଥାଏ ପ୍ରଚୁର ପରିମାଣର ପୋଷକ ତତ୍ବ । ସାଧାରଣତଃ ଭୂକ୍ରୀଷ୍ଣା ଓ ଲାଲ୍ କନ୍ଦମୂଳରେ ପଟ୍ଟାସିୟମ, ଆଇରନ, ମ୍ୟାଗ୍ନେସିୟମ, ଷ୍ଟାର୍ଚ ଓ ଭିଟାମିନ ଭରି ରହିଛି । ପ୍ରକ୍ରିୟାକରଣ ପରେ ଏଥିରୁ ଚିପ୍ସ, ଲଡୁ, ପୁରୀ ଓ ରସଗୋଲା ଭଳି ଖାଦ୍ୟ ପ୍ରସ୍ତୁତ ହୋଇପାରିବ । ଯାହା ଚାଷୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିବ ।