କନକ ବ୍ୟୁରୋ: ଆଇଏଏସ ମନୋଜ ସାହୁଙ୍କ ଓଡିଶା ଫେରିବାକୁ ନେଇ ପାୱାରକରିଡରରେ ଜୋରଦାର ଚର୍ଚ୍ଚା ।  ଆଗାମୀ ଦିନରେ ତାଙ୍କୁ ତୃତୀୟ ମହାଲର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିପାରେ ବୋଲି ଆଲୋଚନା ହେଉଛି । କୁହାଯାଉଛି, ଓଡ଼ିଶା ପାଇଁ ମନୋଜ ପିଏମଓର ଚଏସ୍ । ବିଜେପି କ୍ଷମତାକୁ ଆସିଲା ବେଳେ ଜଣେ ମନୋଜ ଚର୍ଚ୍ଚାକୁ ଆସିଥିଲେ । ମନୋଜ ଆହୁଜାଙ୍କୁ ଦିଲ୍ଲୀରୁ ଆଣି ସିଧା ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଦିଆଗଲା । ଏବେ ପୁଣି ଜଣେ ମନୋଜଙ୍କୁ ନେଇ ରାଜ୍ୟ ପ୍ରଶାସନିକ କରିଡରରେ ବଡ ହଲଚଲ । କୌଣସି ବିଭାଗ  ନୁହେଁ କ୍ଷମତାର ପ୍ରାଣକେନ୍ଦ୍ର ହାଯାଉଥିବା ତୃତୀୟ ମହଲାରେ ତାଙ୍କୁ ଦାୟିତ୍ୱ ଦିଆଯାଇପାରେ ବୋଲି  ଚର୍ଚ୍ଚା ହେଉଛି । କେନ୍ଦ୍ରରେ ଉପ-ନିର୍ବାଚନ କମିଶନର ଭାବେ କାର୍ୟ୍ୟ କରୁଥିବା ମନୋଜ ସାହୁ  ଇଂଟରକ୍ୟାଡର ଡେପୁଟେସନରେ ୩ ବର୍ଷ ପାଇଁ ଓଡିଶା ଆସୁଛନ୍ତି ।

Advertisment

ଏ ନେଇ କେନ୍ଦ୍ର କ୍ୟାବିନେଟରେ ମୋହର ବାଜି ସାରିଛି । ମନୋଜ ସାହୁଙ୍କ ଘର ହେଉଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଂଚଳର । କେନ୍ଦ୍ରର ଜଳ ଶକ୍ତି ବିଭାଗର ଦାୟିତ୍ୱରେ ରହି ହର ଘର ନଳ ଯୋଜନା କାମ କରି ପ୍ରଶଂସା ସାଉଁଟିବା ସହ ମୋଦୀଙ୍କ ଗୁଡ ବୁକରେ ରହିଥିଲେ । ଏହି ସବୁ ଘଟଣା ସୂଚାଇ ଦେଉଛି, ଓଡିଶା ଶାସନ ଉପରେ ନଜର ରଖିଛି ଦିଲ୍ଲୀ । ଓଡିଶାର ପ୍ରଶାସନିକ କଳ ଓ ସରକାରକୁ ଆହୁରି ଅଧିକ  ସକ୍ରିୟ କରିବା ପାଇଁ ପିଏମଓ ତରଫରୁ ବଡ ପ୍ଲାନ ପ୍ରସ୍ତୁତ କରାଯାଇଛି । ଆସନ୍ତା ୨୧ ତାରିଖରେ ସିଂଗାପୁରରୁ ଓଡିଶା ଫେରିବେ ମୋହନ ମାଝୀ ଓ ତାଙ୍କ ଟିମ । ସୂଚନା ଅନୁସାରେ ଖୁନଶୀଘ୍ର ପ୍ରଶାସନର ନବକଳେବର ହେବ । ମୋଦୀଙ୍କ ଗୁଡ ବୁକରେ ଥିବା ଆଇଏଏସ ମନୋଜ ସାହୁ ଓଡିଶା ଆସିବା କିଛି ଅଧିକାରୀଙ୍କୁ  ଆଶ୍ୱସ୍ତି କରିଛି । ଆଉ କିଛି ଅଧିକାରୀଙ୍କ ଛାତି ଧଡଧଡ ହେଲାଣି ।