କନକ ବ୍ୟୁରୋ: ଦେବଗଡ ଜିଲ୍ଲାରେ ରହିଛି ସୁନାର ଭଣ୍ଡାର। ରିଆମାଳ ବ୍ଲକ ଆଡସ ପଂଚାୟତର କେତେକ ସ୍ଥାନରେ ସୁନା ଖଣିର ସନ୍ଧାନ ମିଳିଛି। ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଜିଏସଆଇ ସୁନା ଖଣିର ସନ୍ଧାନ ପାଇଛି। ଏନେଇ ମନ୍ତ୍ରୀ ବିଧାନସଭାରେ ସୂଚନା ଦେବା ପରେ ସ୍ଥାନୀୟ ଗ୍ରାମବାସୀଙ୍କ ନିଦ ହଜିଯାଇଛି ।

ରିଆମାଳ ବ୍ଲକ ଆଡସ ପଂଚାୟତର ଆଡସ, ରାମପାଲି, ପୁଡ଼ାପୋଡ଼ା ଓ ହିଲାଙ୍ଗ ଅଞ୍ଚଳର ମାଟି ତଳେ ସୁନା ଖଣି ଅଛି। ଆନୁମାନିକ ୧୭ଶହ କେଜିରୁ ଅଧିକ ସୁନା ଥିବା ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା ଆକଳନ କରିଛି। ୧୯୮୫ରେ ସର୍ବେକ୍ଷଣ ସଂସ୍ଥା ତମ୍ବା ପଥର ପାଇଁ ଜି-୨ ସ୍ତରରେ ଅନୁସନ୍ଧାନ କରିବା ବେଳେ ସୁନା ଥିବା ଜାଣିବାକୁ ପାଇଥିଲା। ସୁନା ଖଣିର ସନ୍ଧାନ ମିଳିବା ପରେ ସଂପୃକ୍ତ ଅଞ୍ଚଳବାସୀଙ୍କୁ ବିସ୍ଥାପନର ଭୟ ଘାରିଛି।

ଜିଏସଆଇ ତମ୍ବା ପଥର ସର୍ଭେ କରୁଥିବା ବେଳେ ସୁନା ଖଣିର ସୂଚନା ମିଳିଥିଲା। ଫଳରେ ୨୦୧୮ରୁ ବିଭିନ୍ନ ସମୟରେ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଛାନଭିନ୍ କରାଯାଇଛି। ଜନବସତି ଏବଂ ସଂରକ୍ଷିତ ଜଙ୍ଗଲର ପ୍ରାୟ ୮୦ ରୁ ୯୦ଟି ସ୍ଥାନରେ ଡ୍ରିଲ ମ୍ୟାସିନ ସାହାଯ୍ୟରେ ଗଭିର ଖନନ କରି ସୁନାପଥର ସଂଗ୍ରହ କରାଯାଉଛି। ରାଜ୍ୟ ବାହାରେ ନମୂନା ପରୀକ୍ଷଣ ପରେ ରିଆମାଳରେ ସୁନା ଖଣି ଥିବା ରାଜ୍ୟ ସରକାରଙ୍କୁ ସୂଚନା ଦେଇଛନ୍ତି। ସୁନାଖଣି ନିଲାମ କରାଯାଉଥିବା ଚଳିତ ବିଧାନସଭାରେ ସୂଚନା ଦେଇଛନ୍ତି ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଜେନା। ସୁନା ଖଣିରୁ ରୋଜଗାର ଆଶା ରହିଥିବା ବେଳେ ବିସ୍ଥାପନର ଭୟ ଘାରୁଛି।

ବିଧାନସଭାରେ ଖଣି ମନ୍ତ୍ରୀଙ୍କ ବୟାନ ପରେ ଆଡସ ପଂଚାୟତର ୬ଟି ୱାର୍ଡରେ ବସବାସ କରୁଥିବା ଲୋକଙ୍କ ନିଦ ହଜିଯାଇଛି।