କନକ ବ୍ୟୁରୋ : ମକରର ମାହୋଲ କେବଳ ସାଧାରଣ ଲୋକଙ୍କ ଭିତରେ ସୀମିତ ନାହିଁ । ମକର ନେଇ ମଧ୍ୟ ରାଜନୀତି ମାହୋଲ ବେଶ ସରଗରମ ରହିଛି । ଆଜି ମକର ସଂକ୍ରାନ୍ତି ପାଳନ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଗୁଡି ଉଡାଇଛନ୍ତି । ଆଜି ଅହମଦାବାଦ ଘରେ ପହଂଚି ଗୁଡି ଉଡା କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଗୁଡି ଉଡାଇଛନ୍ତି ଶାହା ଏହି ସମୟରେ ସ୍ଥାନୀୟ ଲୋକଙ୍କୁ ଭେଟିବା ସହ ତାଙ୍କୁ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଈଛନ୍ତି । ବ୍ୟସ୍ତ ବହୁଳ ଜୀବନରୁ ସମୟ କାଢ଼ି ପ୍ରତିବର୍ଷ ମକର ସଂକ୍ରାନ୍ତିରେ ଅମିତ ଶାହା ଅହମଦାବାଦରେ ଆୟୋଜିତ ମକର ସଂକ୍ରାନ୍ତି କାର୍ଯ୍ୟକ୍ରମ ଓ ଗୁଡି ଉଡ଼ା ଉତ୍ସବରେ ଯୋଗ ଦେଇଥାନ୍ତି ।
ସେପଟେ ପୂର୍ବାଞ୍ଚଳ ଜନତାଙ୍କୁ ଭେଟିଛନ୍ତି କଂଗ୍ରେସ ସାଂସଦ ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ । ଏହି ଭେଟ ସମୟରେ ଦହି ଚୁଡା ଖାଇଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଆଜି ମକର ସଂକ୍ରାନ୍ତି ମୌକାରେ ରାହୁଲ ଦିଲ୍ଲୀର ରିଥାଲ ଅଞ୍ଚଳରେ ପହଁଚିଥିଲେ । ଆଉ ଏଠାରେ ରହୁଥିବା ପୂର୍ବାଞ୍ଚଳବାସୀଙ୍କୁ ଭେଟି ତାଙ୍କ ହାଲଚାଲ ପଚାରିବୁଝିଥିଲେ । ପରେ ପ୍ରଂଶସକଙ୍କ ହାତ ତିଆରି ଭଳିକି ଭଳି ଖାଦ୍ୟ ଖାଇଥିଲେ ରାହୁଲ । ସବୁଠୁ ବଡ କଥା ହେଉଛି ଦିଲ୍ଲୀ ନିର୍ବାଚନରେ ବଡ ପ୍ରସଙ୍ଗ ପାଲଟିଛି ପୂର୍ବାଞ୍ଚଳ ଭୋଟ ।ନିକଟରେ ଆମ ଆଦମୀ ପାର୍ଟିକୁ ପୂର୍ବାଞ୍ଚଳ ବିରୋଧୀ କହି ଟାର୍ଗେଟ କରିଥିଲା ବିଜେପି । ଯାହାକୁ ନେଇ ରାଜନୀତି ଜୋର ଧରିବା ସହ ଧାରଣା, ପ୍ରତିବାଦ ଜାରି ରହିଛି ।ଏହି ପ୍ରସଙ୍ଗରୁ ଫାଇଦା ନେବାକୁ ଯାଇ ରାହୁଲ ଆଜି ଦିଲ୍ଲୀରେ ସବୁଠୁ ଅଧିକ ସଂଖ୍ୟକ ପୂର୍ବାଞ୍ଚଳ ଭୋଟର ରହୁଥିବା ରିଥାଲରେ ପହଁଚିଥିଲେ ରାହୁଲ