କନକବ୍ୟୁରୋ: କଟକ ସହରର ବିପର୍ୟ୍ୟସ୍ତ ରାସ୍ତାଘାଟ ସମସ୍ୟା ମାମଲାର ଶୁଣାଣି କରି ବର୍ଷିଛନ୍ତି ହାଇକୋର୍ଟ। ବାରମ୍ବାର ତାଳିପକା କାର୍ଯ୍ୟକୁ ନେଇ ସିଏମସିକୁ ତାଗିଦ୍ କରିଛନ୍ତି। ମାମଲାର ଶୁଣାଣୀ ସମୟରେ ହାଇକୋର୍ଟ ବିରକ୍ତି ପ୍ରକାଶ କରିବା ସହ ସିଏମସି କମିସନରଙ୍କୁ ପ୍ରଶ୍ନ କରିଛନ୍ତି, ସହରର କେଉଁ ଗୋଟିଏ ରାସ୍ତା ଗାଡି ଚଳାଚଳ ପାଇଁ ଉପଯୁକ୍ତ ?
ଏଥିସହ ରାସ୍ତାଘାଟର ଦୂରାବସ୍ଥା ନେଇ ପୂର୍ତ୍ତବିଭାଗ ସହ ଅନ୍ୟ ଅଧିକାରୀଙ୍କୁ ମଧ୍ୟ କଡା ଭାଷାରେ ଭର୍ସନା କରିଛନ୍ତି କୋର୍ଟ। ବାରମ୍ବାର ହେଉଥିବା ତାଳିପକା କାର୍ୟ୍ୟକୁ ନେଇ କୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି। ନିମ୍ନମାନର କାର୍ୟ୍ୟ କରୁଥିବା କଣ୍ଟ୍ରାକ୍ଟରଙ୍କୁ କଳା ତାଲିକାଭୁକ୍ତ କରିବାକୁ କୋର୍ଟ କହିଛନ୍ତି ।
ଆସନ୍ତା ୨୬ ତାରିଖ ସୁଦ୍ଧା ସିଏମସି ଅଧିନରେ ଥିବା ସମସ୍ତ ରାସ୍ତାକାମ ସାରି ସତ୍ୟପାଠ ଦାଖଲ କରିବାକୁ ସିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଅନ୍ୟପଟେ ରାସ୍ତାଘାଟ ସମସ୍ୟା ସୁଧାରିବା ନେଇ ମହାନଗର ନିଗମ ମେୟର କହିଛନ୍ତି ରାସ୍ତାଘାଟ ମରାମତି କାର୍ୟ୍ୟ ପାଇଁ ପୂର୍ତ୍ତି ବିଭାଗ ସଚିବଙ୍କୁ ଅବଗତ କରି ଆଲୋଚନା ହୋଇଛି । ଦଶହରା ପୂଜା ପୂର୍ବରୁ ବିପର୍ଯ୍ୟସ୍ତ ରାସ୍ତାଘାଟର ସ୍ଥାୟୀ କାର୍ଯ୍ୟ କରାଯିବା ସହ ସମୂର୍ଣ୍ଣ ମରାମତି ହେବ।
କଟକରେ ବିପଦ ପାଲଟିଛି ବିପର୍ଯ୍ୟସ୍ତ ରାସ୍ତା। ବାରମ୍ବାର କ୍ଷୋଭ ପ୍ରକାଶ କରୁଛନ୍ତି ହାଇକୋର୍ଟ। ତେବେ କୋର୍ଟଙ୍କ କଡା ତାଗିଦ୍ ପରେ ସିଏମସି କେତେ ଶୀଘ୍ର ରାସ୍ତାଘାଟ କାର୍ୟ୍ୟ ସମୂର୍ଣ୍ଣ କରୁଛି ଏବେ ତାକୁ ହିଁ ଅପେକ୍ଷା।
Follow Us