କନକ ବ୍ୟୁରୋ: ସମୁଦ୍ର ଆଁରେ ଆର୍ଯ୍ୟପଲ୍ଲୀ। ଜୁଆର ମାଡ଼ରେ ଭାଙ୍ଗିଲା ଆଶ୍ରୟସ୍ଥଳୀ। ଧିରେଧିରେ ସମୁଦ୍ର ଗର୍ଭରେ ଲୀନ ହୋଇଯାଉଛି ବାସ। ସମୁଦ୍ରର ଭୟଙ୍କର ରୂପ ଦେଖି ଛାନିଆ ଆର୍ଯ୍ୟପଲ୍ଲୀ ବାସିନ୍ଦା। ଗାଁରୁ ଦରିଆର ଦୂରତା ମାତ୍ର ୩୦୦ ମିଟର। ଆଗକୁ ସାମ୍ଭାବ୍ୟ ବାତ୍ୟା ଆଶଙ୍କା ଥିବାରୁ ଆର୍ଯ୍ୟପଲ୍ଲୀ ଗ୍ରାମବାସୀଙ୍କ ଆଖିରୁ ନିଦ ହଜିଯାଇଛି। ଖୁବଶୀଘ୍ର ଗାଁ ନିକଟରେ ପଥରବନ୍ଧ କରାନଗଲେ ଆନ୍ଦୋଳନକୁ ଓହ୍ଲାଇବାକୁ ବୋଲି ଚେତାବନୀ ଦେଇଛନ୍ତି ମତ୍ସ୍ୟଜୀବୀ।
ସମୁଦ୍ରରେ ମିଶିଗଲାଣି ୧୫ ବର୍ଷ ଧରି ମତ୍ସ୍ୟଜୀବୀଙ୍କୁ ଆଶ୍ରୟ ଦେଉଥିବା ଆଶ୍ରୟସ୍ଥଳୀ। ଛତ୍ରପୁରର ଆର୍ଯ୍ୟପଲ୍ଲୀ ଗାଁର ଶେଷମୁଣ୍ଡରେ ରହିଥିଲା ମତ୍ସ୍ୟଜୀବୀଙ୍କ ଆଶ୍ରୟସ୍ଥଳୀ। ଜାଲ ଓ ବିଭିନ୍ନ ସାମଗ୍ରୀ ରଖିବା ସହ ବିଶ୍ରମା ନେଉଥିଲେ କ୍ଲାନ୍ତ ମତ୍ସ୍ୟଜୀବୀ। ହେଲେ ଏବେ ସେଠି ଖାଲି ବାଲି ଆଉ ବାଲି। ଆଶ୍ରୟସ୍ଥଳୀର ଚିହ୍ନବର୍ଣ୍ଣ ନାହିଁ। ଜୁଆର ମାଡ଼ରେ ସବୁ ସମୁଦ୍ର ଗର୍ଭକୁ ଚାଲିଯାଇଛି।
ପୂର୍ବରୁ ଆର୍ଯ୍ୟପଲ୍ଲୀ ଗାଁ ଠାରୁ ୩ କିଲୋମିଟର ଦୂରରେ ଥିଲା ସମୁଦ୍ର। ଏବେ ଗାଁ ମୁଣ୍ଡରେ ପହଂଚିଲାଣି। ଆର୍ଯ୍ୟପଲ୍ଲୀରେ ସମୁଦ୍ର କୁଳ ଲଂଘିବା ନୂଆ ନୁହେଁ। ବେଶ କିଛି ବର୍ଷ ହେଲା ଅଶାନ୍ତ ଦରିଆର ଭୟଙ୍କର ଗର୍ଜନ ମତ୍ସ୍ୟଜୀବୀଙ୍କ ନିଦ ହଜେଇ ଦେଇଛି। ଏନେଇ ଗୋପାଳପୁର ପୋର୍ଟ ଓ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି। ପ୍ରଶାସନ ପକ୍ଷରୁ କିଛି ପଥର ଆଣି ଗାଁର ଶେଷମୁଣ୍ଡରେ ପକାଯାଇଛି। ତାହା ବି ସମୁଦ୍ର ଭିତରକୁ ଚାଲିଯାଉଛି। ତେଣୁ ପଥର ବନ୍ଧ ନିର୍ମାଣ ନହେଲେ ଆଗକୁ ଆର୍ଯ୍ୟପଲ୍ଲୀ ଯେ ଅତୀତ ହୋଇଯିବ, ତାହା କହିବା ବୋଧେ ଭୂଲ ହେବ ନାହିଁ।
ଆର୍ଯ୍ୟପଲ୍ଲୀ ନିକଟରେ ପଥର ବନ୍ଧ କରିବା ନେଇ ୧୯୯୯ରେ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ। ଏହାରି ଭିତରେ ୨୫ ବର୍ଷ ବିତିଲାଣି। ଲୋକେ କେତେ ଝଡ଼ ସହିଲେଣି। ଆର୍ଯ୍ୟପଲ୍ଲୀ ନିକଟ ବେଳାଭୂମି ଚିତ୍ର ବଦଳିଗଲାଣି। କିନ୍ତୁ ପଥର ବନ୍ଧର ଦେଖାନାହିଁ।