କନକ ବ୍ୟୁରୋ : କୌଣସି ଉପାନ୍ତ ଅଞ୍ଚଳ ନୁହେଁ କିନ୍ତୁ ବିକାଶ ଏଠି ବାଟବଣା । ଗାଁର ଲୋକଙ୍କ ଜୀବନ ଧାରଣର ମାନ କଣ ତାହା ଏ ଦୃଶ୍ୟ ହିଁ ବୟାନ କରୁଛି । କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଳକ ବଉଳକଣି ପଞ୍ଚାୟତର ବାଘୁଆମେଦି ଗାଁକୁ ନାହିଁ ରାସ୍ତା । ବିଲ ମଝିରେ ଥିବା ହିଡ଼ ଭଳି ମାଟି ରାସ୍ତା ଦେଇ ଯାତାୟାତ କରନ୍ତି ଲୋକେ । ବର୍ଷା ଦିନ ହେଲେ କାଦୁଅ ପଚପଚ ରାସ୍ତାରେ ୩ କିଲୋମିଟର ଚାଲିବାକୁ ବାଧ୍ୟ ହୁଅନ୍ତି ଗ୍ରାମବାସୀ । ଏହି ରାସ୍ତା ଉପରେ ଶହେରୁ ଅଧିକ ପରିବାର ନିର୍ଭର କରୁଥିବାରୁ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଦାବି ହୋଇଛି ।

Advertisment

ନିର୍ବାଚନ ସମୟ ଆସିଲେ ଗାଁକୁ ଆସିଥାନ୍ତି ନେତା । ସମସ୍ୟାର ସମାଧାନ ନେଇ ମିଳେ ମାଳମାଳ ପ୍ରତିଶ୍ରୁତି । କିନ୍ତୁ ଭୋଟ ସରିଗଲେ ଆଉ ଗାଁରେ ପାଦ ପଡେନି । ରାସ୍ତା ସମସ୍ୟା ପାଇଁ ଗାଁର ପିଲାମାନେ ସ୍କୁଲ ଯାଇପାରୁ ନାହାନ୍ତି । କୌଣସି ରୋଗୀ କିମ୍ବା ପ୍ରସୂତିଙ୍କୁ ଡାକ୍ତରଖାନା ନେବାକୁ ହେଲେ ଭାରରେ ବୋହିବାକୁ ପଡୁଛି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି । 

 ଦୀର୍ଘ ଦିନ ଧରି ରାସ୍ତା ସମସ୍ୟା ପାଇଁ କଷ୍ଟ ଭୋଗୁଛନ୍ତି ବାଘୁଆମେଦି ଗ୍ରାମବାସୀ । ରାସ୍ତା ନଥିବାରୁ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ମଧ୍ୟ ବଞ୍ଚିତ ହେବାକୁ ପଡୁଛି । ତେଣୁ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ରାସ୍ତା ନିର୍ମାଣ କରିବାକୁ ଦାବି ହୋଇଛି ।