କନକ ବ୍ୟୁରୋ: ବାତ୍ୟା ଦାନା କେନ୍ଦ୍ରାପଡାର ହବାଳିଖଟି ନେଚର କ୍ୟାମ୍ପରେ ମାଡ ହୋଇଥିଲା । ଆଉ ଲ୍ୟାଣ୍ଡଫଲ ସମୟର ତାଜା ଚିତ୍ର ସାମ୍ନାକୁ ଆସିଛି । ଏଥିଯୋଗୁଁ ରାଜନଗରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଲୋକ ସହାୟତା ଅପେକ୍ଷାରେ ଅଛନ୍ତି ।
ସାମ୍ନାକୁ ଆସିଛି ବାତ୍ୟା ଲ୍ୟାଣ୍ଡଫଲ କରିଥିବା ସ୍ଥାନ ହବାଳିଖଟି ନେଚର କ୍ୟାମ୍ପର ଚିତ୍ର । ଛିନ ଛତର ହୋଇଯାଇଛି ପୁରା ନେଚର କ୍ୟାମ୍ପ । ମାଡି ଆସିଥିବା ସମୁଦ୍ର ଜୁଆର କଟେଜ ତଳୁ ବାଲି ଧୋଇନେଇଛି । ଲ୍ୟାଣ୍ଡଫଲ ବେଳେ ଜୁଆର ଏତେ ଜୋରରେ ମାଡି ଆସିଥିଲା ଯେ କଟେଜ ପିଲାରରେ ସମୁଦ୍ରପାଣି ମାଡ ହେଉଥିଲା । ଗଛଗୁଡିକ ଉପୁଡି ସମୁଦ୍ରକୂଳରେ ପଡିଥିଲା ।
ବାତ୍ୟା ଯୋଗୁଁ ଭିତରକନିକା ସମେତ ରାଜନଗର ଓ ଏହାର ଆଖପାଖ ଅଂଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ପବନର ବେଗ ଅଧିକ ଯୋଗୁଁ ବାତ୍ୟା ମୁହଁରେ ପଡିଥିବା ବହୁ ବଡ ବଡ ଗଛ ଭାଂଗି ପଡିଛି। ବିଦ୍ୟୁତ୍ ଖୁଣ୍ଟ ନଇଁ ପଡିଛି ।
ହବାଳିଖଟିରେ ଲ୍ୟାଣ୍ଡଫଲ ପୂର୍ବଦିନ ରୁ ଆରମ୍ଭ କରିଦେଇଥିଲା ପ୍ରଳୟ, ସମୁଦ୍ର ଅଶାନ୍ତ ସାଙ୍ଗକୁ ଘନ ଘନ ବର୍ଷା । ପବନର ବେଗ ବି ବଢ଼ି ଚାଲିଥିଲା । ଦୀର୍ଘ ୨୪ ଘଣ୍ଟାରୁ ଅଧିକ ସମୟ ଏହିଭଳି ଚିତ୍ର ଥିବା ବେଳେ ଲ୍ୟାଣ୍ଡ ଫଲ କରି ଆହୁରି ୪ଘଣ୍ଟା ପ୍ରଳୟ ରଚିଥିଲା। ଏହାର ପ୍ରଭାବରେ ଗଛ ପଡି ଅନେକ ଘର ଭାଙ୍ଗିଯାଇଛି । କାନ୍ଦି କାନ୍ଦି ଦୁଃଖ ଜଣାଉଛନ୍ତି ଲୋକେ । ବାତ୍ୟା ଦାନା କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର, ରାଜକନିକାରେ ଅଧିକ ପ୍ରଭାବ ପକାଇଛି । ବାତ୍ୟା ଚାଲିଯାଇଛି ସତ ହେଲେ ବଢ଼ିଛି ଦୁର୍ଦ୍ଦଶା ।