କନକ ବ୍ୟୁରୋ: ଆଦାନୀର ଜମି କିଣାବିକା କାଗଜପତ୍ରକୁ ନେଇ ରାଜ୍ୟରେ ରାଜନୈତିକ ଝଡ ଦେଖିବାକୁ ମିଳିଲାଣି । ଏପଟେ ଖୋଦ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏ ନେଇ କିଛି ଜାଣି ନଥିବା କହିଛନ୍ତି । ଏଭଳି କ୍ଷେତ୍ରରେ ବିଭାଗ ପାଖରେ କିଭିଳି ଖବର ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେପଟେ ବଲାଙ୍ଗୀରରେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଲେଣି ସମାଜିକ କର୍ମୀ ।
ଗନ୍ଧମାର୍ଦ୍ଦନ ସମ୍ପର୍କରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଗନ୍ଧମାର୍ଦ୍ଦନକୁ ଆଦାନୀ ନେବା ପ୍ରସଙ୍ଗ ନେଇ ସେ କିଛି ଜାଣିନାହାନ୍ତି । ୭୨ ଘଣ୍ଟହେଲା ପ୍ରସଙ୍ଗ ନେଇ ରାଜ୍ୟ ଉଠୁଥିବାପଡୁଥିବା ବେଳେ ମନ୍ତ୍ରୀ କହୁଛନ୍ତି କିଛି ଜାଣିନାହାନ୍ତି । ଆଉ ବିଜେପିର ସ୍ଥାନୀୟ ସାଂସଦ ପ୍ରଦୀପ ପୁରୋହିତ ଏହାକୁ ସରକାରଙ୍କ ନିଷ୍ପତ୍ତି କହି ପ୍ରସଙ୍ଗକୁ ଏଡାଇଦେଇଛନ୍ତି । ପ୍ରଶ୍ନ ଉଠୁଛି ଆଦାନୀକୁ ଜମି ଦେଲା କିଏ? ଜଙ୍ଗଲ ବିଭାଗ ପାଖରେ ଖବର ନାହିଁ କେମିତି? ସେପଟେ ଏହି ପ୍ରସଙ୍ଗରେ ସରକାରଙ୍କୁ ବିରୋଧ କରିବାକୁ ପ୍ରସ୍ତୁତ ହେଲେଣି ବିରୋଧୀ । ବଲାଙ୍ଗୀର ବିଧାୟକ କଳିକେଶ ସିଂହଦେଓ କହିଛନ୍ତି, ସରକାର ଏ ନେଇ ସ୍ପଷ୍ଟୀକରଣ ଦିଅନ୍ତୁ । ନହେଲେ ଆଗକୁ ଆନ୍ଦୋଳନ ହେବ ।
ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ବଉରାମୁଣ୍ଡା ଗାଁରେ ଅଦାନୀ ୧୮ ଏକର ଜମି କିଣିଛି। ଯାହାର କାଗଜପତ୍ର ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଆନ୍ଦୋଳନ ପାଇଁ ସଜବାଜ ହେଲେଣି ବିଭିନ୍ନ ସଙ୍ଗଠନ। ସାମାଜିକ ଗଣମାଧ୍ୟମରେ ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ବାଙ୍ଗୀରର ସାମଜିକ କର୍ମୀ କହିଛନ୍ତି ହରିଶଙ୍କରରେ ପ୍ରକଳ୍ପ କରିବା ପଛରେ ବକ୍ସାଇଟ ଉପରେ ନଜର ପକାଇଛି ଆଦାନୀ ।
ସୋସିଆଲ ମିଡିଆରେ ଘୁରିବୁଲୁଥିବା ଜମିପଟ୍ଟାକୁ ନେଇ ଝଡ ଦେଖିବାକୁ ମିଳିଲାଣି । କାରଣ, ଓଡିଶାର ସଂଜୀବନି କୁହାଯାଉଥିବା ଗନ୍ଧମାର୍ଦ୍ଦନ ଉପରେ ଅତୀତରେ ଅନେକ ଆଖି ପକାଇଥିଲେ ଓ ଆନ୍ଦୋଳନ ମଧ୍ୟ ହୋଇଛି ।