କନକ ବ୍ୟୁରୋ : ବିନା ଛାତ୍ରଛାତ୍ରୀରେ ଚାଲିଛି ବିଦ୍ୟାଳୟ । ଯାଜପୁର ଜିଲ୍ଲାଲ ବରୀ ବ୍ଲକ ଶିକ୍ଷ୍ୟା ବ୍ୟବସ୍ଥାର ବିକଳ ଚିତ୍ର । ସରକାରୀ ବିଦ୍ୟାଳୟରୁ ମୁହଁ ଫେରାଇ ବେସରକାରୀ ବିଦ୍ୟାଳୟ ମୁହାଁ ଛାତ୍ରଛାତ୍ରୀ । ସରକାରୀ ଶିକ୍ଷା ବ୍ୟବସ୍ଥା ଉପରେ ଭରସା ନାହିଁ । କେଉଁଠି ଶିକ୍ଷକ ଅଭାବରୁ ଛାତ୍ରଛାତ୍ରୀ ଧାରଣାରେ ବସୁଛନ୍ତି ହେଲେ ଏଠି ଘଟଣା ସମ୍ପୂର୍ଣ ଅଲଗା । ଶିକ୍ଷକ ଅଛନ୍ତି ହେଲେ ଛାତ୍ରଛାତ୍ରୀ ନାହାନ୍ତି । ବରୀ ବ୍ଲକ ଅଧିନସ୍ଥ ବିଶୁନାଇଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କେଁକରଡ଼ା ।
ବିଦ୍ୟାଳୟକୁ ପ୍ରତିଦିନ ଆସୁଛନ୍ତି ଏକ ମାତ୍ର ପ୍ରଧାନ ଶିକ୍ଷକ ଜଗବନ୍ଧୁ କର । ଚାବିଖୋଲି ଛାତ୍ରଛାତ୍ରୀଙ୍କୁ ଅପେକ୍ଷା କରି ରହୁଛନ୍ତି , ହେଲେ କେହି ଆସନ୍ତି ନାହିଁ । ଛୁଟି ସମୟ ହୋଇଗଲେ ବିଦ୍ୟାଳୟରେ ତାଲା ମାରି ଘରକୁ ଯାଇଥାନ୍ତି ଶିକ୍ଷକ ଜଣକ । ବିଦ୍ୟାଳୟରେ ଷଷ୍ଠରେ ଜଣେ ଛାତ୍ର ଓ ସପ୍ତମ ଶ୍ରେଣୀରେ ଦୁଇ ଜଣ, ମୋଟ ତିନି ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ହେଲେ ସେମାନେ ଏଠାକୁ ନଆସି ବେସରକାରୀ ବିଦ୍ୟାଳୟରେ ପାଠ ପଢନ୍ତି। ହେଲେ ଏଠାରେ ଶିକ୍ଷା ବିଭାଗର ନଜର ପଡ଼ୁନାହିଁ । କମ୍ ଉପସ୍ଥାନ ଦର୍ଶାଇ ଅନେକ ସ୍କୁଲକୁ ବନ୍ଦ କରିଥିଲେ ପୂର୍ବ ସରକାର । ହେଲେ ଏଠି ତ ପିଲା ନାହାନ୍ତି । କାହା ପାଇଁ ସ୍କୁଲ ଖୋଲୁଛି ବୋଲି ପ୍ରଶ୍ନ ଉଠୁଛି । ଆଗାମୀ ଦିନରେ ବରୀ ଅଞ୍ଚଳରେ ବିଭିନ୍ନ ସରକାରୀ ବିଦ୍ୟାଳୟରେ ତାଲା ଝୁଲିବ ବୋଲି ମତ ରଖିଛନ୍ତି ଶିକ୍ଷାବିତ୍ ।