କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ରାଭେଲ ଆଡଭାଇଜରି ଉପରେ ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି, ଓଡ଼ିଶା ଭଳି ଶାନ୍ତି ପ୍ରିୟ ଜାଗା, ଓଡ଼ିଶା ଭଳି ପରିବେଶ ପୃଥିବୀରେ କେଉଁଠି ମିଳିବନି । କାଁ ଭାଁ ସମସ୍ୟା ତ ଲାଗି ରହିବ । ଆମ ସରକାର ସେ ସବୁକୁ ଦୃଢ଼ ଭାବେ ଦମନ କରୁଛି । ଆମେରିକାରେ କଣ ହିଂସା ହେଉନି । ସେଠି ବା ଦଙ୍ଗା ହେଉଛି, ଜଣେ ଜଣକୁ ଗୁଳି ମାରିଦେଉଛି । ହ୍ୱାଇଟ ହାଉସ ଉପରେ ବି ଆକ୍ରମଣ ହେଉଛି । ଓଡ଼ିଶାରେ ଆମେ ବହୁତ ଶାନ୍ତିରେ ଅଛୁ । 

Advertisment

ଭାରତ ଆସୁଥିବା ଆମେରିକୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି ଟ୍ରମ୍ପ ସରକାର । ଦୁଷ୍କର୍ମ, ହିଂସା, ଆତଙ୍କବାଦକୁ ନେଇ ମାର୍ଗଦର୍ଶିକା ଜାରି ହୋଇଛି । ଏଥିରେ କୁହାଯାଇଛି ଯେ, ଭାରତରେ ଦୁଷ୍କର୍ମ ଅପରାଧ ବଢ଼ିଚାଲିଛି । ପର୍ୟ୍ୟଟନ ସ୍ଥଳରେ ଅସଦାଚରଣ ଓ ହିଂସା ବଢୁଛି । ପର୍ୟ୍ୟଟନ ସ୍ଥଳରେ ଆତଙ୍କବାଦୀ ଆକ୍ରମଣ ହେଉଛି । ମାର୍କେଟ୍‌, ସପିଂମଲ ଓ ପର୍ୟ୍ୟଟନ ସ୍ଥଳୀ ଅସୁରକ୍ଷିତ ହୋଇପଡ଼ିଛି । ତେଣୁ ଭାରତ ଆସୁଥିବା ଆମେରିକୀୟ ମହିଳା ପର୍ୟ୍ୟଟକ ଏକୁଟିଆ କୌଣସି ସ୍ଥାନକୁ ନଯିବାକୁ ଏଥିରେ ପରାମର୍ଶ ଦିଆଯାଇଛି । ଏହାସହ ଜମ୍ମୁ-କାଶ୍ମୀର, ଭାରତ-ପାକ୍‌ ସୀମାକୁ ନଯିବାକୁ ପରାମର୍ଶ ଦେଇଛି ଟ୍ରମ୍ପ ପ୍ରଶାସନ । ସେହିପରି ଭାରତରେ କାମ କରୁଥିବା ଆମେରିକୀୟ ନାଗରିକମାନଙ୍କୁ ଓଡ଼ିଶା ସମେତ ୬ଟି ରାଜ୍ୟକୁ ଯିବାକୁ ଆଗୁଆ ଅନୁମତି ନେବାକୁ କୁହାଯାଇଛି । ଅନ୍ୟ ୫ଟି ରାଜ୍ୟ ହେଲା ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ମେଘାଳୟ ଓ ପଶ୍ଚିମବଙ୍ଗ । ଏହି ୬ଟି ରାଜ୍ୟର ରାଜଧାନୀକୁ ଯିବାକୁ ହେଲେ ଆମେରିକୀୟ ନାଗରିକଙ୍କ ପାଇଁ ଅନୁମତି ଆବଶ୍ୟକ ନାହିଁ, ହେଲେ ଯଦି ସେମାନେ ଅନ୍ୟ ଅଞ୍ଚଳକୁ ଯାଆନ୍ତି, ତାହେଲେ ଏଥିପାଇଁ ସେମାନଙ୍କୁ ଅନୁମତି ନେବାକୁ ପଡ଼ିବ ।