ଡଗରା ବେଳଭୂମିକୁ ନାହିଁ ରାସ୍ତା,  ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ବେଳାଭୂମିକୁ ରାସ୍ତା ଓ ପର୍ଯ୍ୟଟକଙ୍କ ପାଇଁ ନାହିଁ କିଛି ସୁବିଧା । ବାରମ୍ୱାର ଅଭିଯୋଗ ସତ୍ୱେ ପ୍ରଶାସନର ନିଘା ନାହିଁ

ଅବହେଳିତ ଡଗରା ବେଳାଭୂମି

ଅବହେଳିତ ଡଗରା ବେଳାଭୂମି Photograph: (KanakNews)

କନକ ବ୍ୟୁରୋ :  ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା ଓ ସବୁଜ ଝାଉଁବଣ । ବେଳାଭୂମିରେ ନାଲି କଙ୍କଡ଼ାର ଲୁଚକାଳି ଖେଳ। ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକର ଡଗରା ବେଳାଭୂମି। ପ୍ରକୃତିର ମୋହମୟ ଆକର୍ଷଣରେ ଟାଣି ହୋଇଆସେ ପର୍ଯ୍ୟଟକ। କିନ୍ତୁ ବେଳାଭୂମିକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡେନଥିବାରୁ ମୁହଁ ଫେରାଇ ନେଉଛନ୍ତି ପର୍ଯ୍ୟଟକ। ବାଲିଆପାଳ ଛକରୁ ଡଗରା ଯାଏଁ ରାସ୍ତା ଖାଲଖମାରେ ଭର୍ତ୍ତି। ଅଣଓସାରିଆ ସଂକୀର୍ଣ୍ଣ ରାସ୍ତା, ଚାଲିକି ଯିବା ବି କଷ୍ଟକର। ଖରାପ ରାସ୍ତା ଯୋଗୁଁ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି। ରାସ୍ତା ପାଇଁ ଜନପ୍ରତିନିଧି ଓ ପ୍ରଶାସନକୁ ଜଣାଇଲେ ବି କିଛି ସୁଫଳ ମିଳୁନି ।
 
 ପର୍ଯ୍ୟଟନ ବିଭାଗ ଏହି ଡଗରା ବେଳାଭୂମିକୁ ଗତ ୨୦୧୪ରେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଥିଲେ। ଏହାପରେ ବେଳାଭୂମିର ବିକାଶ ଓ ରାସ୍ତାଘାଟ ପାଇଁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ସରକାର। ହେଲେ ଏସବୁ କେବଳ କାଗଜକଲମରେ ସୀମିତ ହୋଇଯାଇଛି ।  ଓଡ଼ିଶା ସୀମାନ୍ତ ଏହି ବେଳାଭୂମିର ପ୍ରାକୃତିକ ପରିବେଶର ପରଶ ପାଇବାକୁ ଆଖପାଖ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଆସୁଛନ୍ତି। କିନ୍ତୁ ରାସ୍ତା ଓ ଆନୁଷଙ୍ଗିକ ସୁବିଧା ନଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି । ଏ ଦିଗରେ ସରକାର ପଦକ୍ଷେପ ନେଲେ ରାଜ୍ୟ ପର୍ଯ୍ୟଟନର ବିକାଶ ସହ ଅର୍ଥନୈତିକ ପ୍ରଗତି ସମ୍ଭବ ହୋଇପାରନ୍ତା ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe