କନକ ବ୍ୟୁରୋ: ଚାଲିଛି ଘମାଘୋଟ ଲଢେଇ , ପଏଣ୍ଟ ପାଇଁ କସରତ୍ । ଆଇଏସଏଲର ଦୁଇ ଦମଦାର ଟିମ ଓଡିଶା ଏଫସି ଓ ମୋହନ ବାଗାନ ଭିତରେ ଲାଗିରହିଛି ପ୍ରତିଦ୍ବନ୍ଦିତା। କଳିଙ୍ଗ ଷ୍ଟାଡିୟମ ବି ଦର୍ଶକରେ ଭର୍ତ୍ତି । ନିଜର ଟିମକୁ ଚିୟରଅପ କରିବା ପାଇଁ ପ୍ରଶଂସକଙ୍କ ହୋ ହଲ୍ଲାରେ କମ୍ପୁଥିଲା କଳିଙ୍ଗ ଷ୍ଟାଡିୟମ । ଓଡିଶା ଏଫସି ଦଳ ପାଇଁ ବି ଷ୍ଟାଡିୟମରେ ସାମିଲ ହୋଇଥିଲେ ହଜାର ହଜାର ପ୍ରଶଂସକ । କିନ୍ତୁ ଏହି ଦଳ ଭିତରେ ଯଦି ଆପଣ ଓଡିଆ ଖେଳାଳିଙ୍କୁ ଖୋଜିବାକୁ ଚାହିଁବେ ତେବେ ଆପଣଙ୍କୁ ନିରାଶ ହେବାକୁ ପଡିବ । କାହିଁକି ନା ଦଳର ନାଁ ଓଡିଶା ଏଫସି ହେଲେ ଦଳରେ ନାହାଁନ୍ତି ଓଡିଶା ଖେଳାଳି । ଏକଥା କେବଳ ଓଡିଶାର ଫୁଟବଲ ପ୍ରଶଂସକଙ୍କୁ ବାଧିଛି ତାହା ନୁହେଁ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Advertisment

୫ ବର୍ଷ ତଳେ ଓଡିଶାରେ ଆରମ୍ଭ ହୋଇଥିଲା ଓଡିଶା ଏଫସି । ଓଡିଶାର ଫୁଟବଲ ଖେଳଳିଙ୍କୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ପଡିଥିଲା ମୂଳଦୁଆ । ରାଜ୍ୟ ସରକାର ଯୋଗାଇଥିଲେ ଆନୁଷଙ୍ଗିକ ସୁବିଧା ସୁଯୋଗ । ଖେଳାଳିଙ୍କ ପାଇଁ ପଡିଆ ସହିତ ଅନ୍ୟ ସମସ୍ତ ସୁବିଧା । ହେଲେ ଏ ଯୋଜନା ତା ବାଟରେ ରହିଗଲା । ଓଡିଶା ଏଫସି ସମସ୍ତ ସୁବିଧା ପାଇଲା ସତ ହେଲେ ଓଡିଶାର ଜଣେ ବି ଖେଳାଳି ସୃଷ୍ଟି ହୋଇପାରିଲେ ନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ କୋଚ ଓ କ୍ରୀଡା ପ୍ରଶଂସକ । ଆଜି ପର୍ୟ୍ୟନ୍ତ ଓଡିଶା ଏଫସି ଜୁନିଅର କିମ୍ୱା ୟୁଥ ସ୍ତରରୁ ଖେଳାଳି ସୃଷ୍ଟି କରିବା ପାଇଁ କୌଣସି ପ୍ରୟାସ କରିନଥିବା ଅଭିଯୋଗ ମଧ୍ୟ ହେଇଛି ।