କନକ ବ୍ୟୁରୋ : ୨୦୧୩ରେ ସମ୍ୱଲପୁର ମହାନଗର ନିଗମ ଗଠନ ହେଲା । କିନ୍ତୁ ଏଯାଏଁ ନିର୍ବାଚନ ହୋଇନାହିଁ । ୱାର୍ଡ ସଂରକ୍ଷଣ ନେଇ ମାମଲା ବିଚାରାଧୀନ ଥିବାରୁ ନିର୍ବାଚନ ହୋଇପାରୁ ନାହିଁ । ମାମଲା ସମାଧାନ ପାଇଁ ପୂର୍ବ ସରକାର କିଛି କଲେ ନାହିଁ କି ବର୍ତ୍ତମାନ ସରକାର ମଧ୍ୟ ଆଗ୍ରହ ଦେଖାଉ ନହାନ୍ତି । ନିର୍ବାଚିତ ପ୍ରତିନିଧି ନଥିବାରୁ ଅର୍ଥ କମିସନଙ୍କ ପକ୍ଷରୁ ମିଳୁଥିବା ଅନୁଦାନ ସମ୍ବଲପୁର ମହାନଗର ନିଗମକୁ ମିଳୁନାହିଁ । ଏହା ମଧ୍ୟରେ ନିଗମ ୫୦ କୋଟି ଟଙ୍କା ହରାଇଲାଣି ।
ସମ୍ୱଲପୁର ମହାନଗର ନିଗମ ନିଜ ପାଣ୍ଠି ବଢ଼ାଇବାରେ ବେଶ୍ ପଛୁଆ ରହିଛି । ୨୦୨୪-୨୫ ଆର୍ଥିକବର୍ଷରେ ୩୫.୨ କୋଟି ଟଙ୍କା ଟିକସ ଆଦାୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଆଦାୟ ହୋଇଥିଲା ୭୫ ପ୍ରତିଶତ ଟିକସ । ସମସ୍ତ ରାଜସ୍ବ ମିଶାଇ ମୋଟ୍ ୨୬ କୋଟି ୧୨ ଲକ୍ଷ ଟଙ୍କା ସଂଗ୍ରହ ହୋଇଥିଲା । ତେଣେ ଅର୍ଥ କମିସନଙ୍କଠାରୁ ଅନୁଦାନ ମିଳୁନଥିବାରୁ ଉନ୍ନୟନ କାମ ହୋଇପାରୁନାହିଁ । ବିନା ନିର୍ବାଚନରେ ସମ୍ବଲପୁର ମହାନଗର ନିଗମ ଚାଲିଲେ ଅର୍ଥ କମିସନଙ୍କଠାରୁ କୋଟିକୋଟି ଟଙ୍କା ହରାଇବାକୁ ପଡ଼ିବ । ନିର୍ବାଚନ ପାଇଁ ହାଇକୋର୍ଟଙ୍କ ରାୟକୁ ଅପେକ୍ଷା କରାଯାଇଛି ।