କନକ ବ୍ୟୁରୋ : ବିଜେପି ଜିଲ୍ଲା ସଭାପତି ଚୟନ ପାଇଁ ମାନସମନ୍ଥନ ହେଲା। ଦଳର ଶୀର୍ଷ ନେତୃତ୍ବ କବାଟକିଳା ବୈଠକ କଲେ। ଆଶା କରାଯାଉଥିଲା ସଭାପତି ଓ ଜିଲ୍ଲା ସଭାପତିଙ୍କ ନାଁ ଖୁବଶୀଘ୍ର ଘୋଷଣା ହୋଇଯିବ। ହେଲେ, ସେମିତି କିଛି ହେଲାଣି। ପଦ୍ମ ଘୁଂଚି ଘୁଂଚି ଗଲା ଭଳି ଦିନ ଗଡି ଗଡି ଚାଲିଛି, ଆଉ ଏପଟେ ନିଷ୍ପତି ଟଳି ଟଳି ଯାଉଛି। କିନ୍ତୁ ନେତାଙ୍କ କହିବା ଅନୁସାରେ, ବିଜେପି ଦଳ ସରକାରରେ ଥିବାରୁ ଆଶାୟୀଙ୍କ ତାଲିକା ଲମ୍ବିଛି। ଗୋଟିଏ ଗୋଟିଏ ଜିଲ୍ଲା ପାଇଁ ୧୦ରୁ ଅଧିକ ଆଶାୟୀ ରହିଛନ୍ତି। ସେଥିପାଇଁ ଜିଲ୍ଲା ସଭାପତି ଚୟନ କରିବା ବିଳମ୍ବ ହେଉଛି।
ବଡ କଥା ହେଉଛି ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଦଳ ନିଷ୍ପତି ନେଇ ପାରୁନଥିବା କୁହାଯାଉଥିଲେ ବି ଏହା ପଛରେ ଅନେକ କାରଣ ରହିଛି ବୋଲି କୁହାଯାଉଛି। ସେହିପରି ଦୀର୍ଘମାସ ହେବ ନିଗମ ଓ ବୋର୍ଡରେ ଅଧ୍ୟକ୍ଷ ପଦ ବି ଖାଲି ପଡିଛି। ଯାହାକି ଆହୁରି ବିଳମ୍ବିତ ହେବ ବୋଲି କୁହାଯାଉଛି। ରାଜନୈତିକ ବିଶେଷଜ୍ଞ ମତରେ,
କାହିଁକି ବିଳମ୍ବିତ ହେଉଛି ନା ଘୋଷଣା ..
- ଆଶାୟୀଙ୍କ ସଂଖ୍ୟା ଅଧିକ
- ବିଧାୟକ ଓ ସାଂସଦଙ୍କ ମଧ୍ୟରେ ଟଣାଓଟରା
- ନେତା, ନେତାଙ୍କ ଭିତରେ ପତିଆରା ଲଢ଼େଇ
- ଯୁବ ପିଢ଼ିଙ୍କୁ ବରିଷ୍ଠ ବାଟ ଛାଡିବାକୁ ଅରାଜି
- ପଂଚାୟତ ଓ ପୌର ନିର୍ବାଚନ ଥିବାରୁ ଲାଭ କ୍ଷତିର ହିସାବ ଚାଲିଛି
ତେବେ ଏସବୁ କଥାକୁ ମାନିବାକୁ ନାରାଜ ଦଳର ଉପସଭାପତି। କହିଛନ୍ତି, ବିଜେପିରେ କୌଣସି ଦ୍ବନ୍ଦ୍ବ ନାହିଁ। ଖୁବଶୀଘ୍ର ଶେଷ ହେବ ଜିଲ୍ଲା ଓ ରାଜ୍ୟ ସଭାପତି ଚୟନ।
ତୃଣମୂଳ ସଂଗଠନକୁ ସଜାଡିବା ପାଇଁ ଗସ୍ତ ସମୟରେ ନେତା ଓ କର୍ମୀଙ୍କୁ ମନ୍ତ୍ର ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୃହମନ୍ତ୍ରୀ ଅମିତ୍ ଶାହା ମଧ୍ୟ ସମାନ ପରାମର୍ଶ ଦେଇଯାଇଥିଲେ। ହେଲେ, ଜିଲ୍ଳା ସଭାପତି ଚୟନ ଅଟକି ଥିବାରୁ ତୃଣମୂଳସ୍ତରରେ ସଂଗଠନ ଯେମିତି ସଜାଡି ହେବା କଥା ସେମିତି ହୋଇପାରୁନି।