କନକ ବ୍ୟୁରୋ: କଟକ ସହରର ସାଂଘାତିକ ଅବସ୍ଥା । ବିଭିନ୍ନ ସ୍ଥାନରେ ଡ୍ରେନ୍ ଓ ନାଳ ମୁକୁଳା ପଡ଼ିଛି । ସ୍ଲାବ୍ ପକାଯାଇନି କି ତାରଜାଲି ଦିଆଯାଇନାହିଁ । ବାଉଁଶ ବତା ସାଜିଛି ସାହାରା । ଟିକିଏ ଅନ୍ୟମନସ୍କ ହେଲେ ଡ୍ରେନରେ ପଡ଼ିବା  ଆଶଙ୍କା ରହିଛି । ଦୁର୍ଘଟଣାରେ କାହାର ଜୀବନ ଗଲେ କିଏ ଦାୟୀ ହେବ ବୋଲି ଲୋକ ପ୍ରଶ୍ନ କରିଛନ୍ତି ।

Advertisment

କଟକ ନୂଆବଜାର ଅଞ୍ଚଳର ବହୁ ସ୍ଥାନରେ ଡ୍ରେନ୍‌ ମୁକୁଳା ପଡ଼ିଛି । ଉପରେ ସ୍ଲାବ୍ ପଡ଼ିନି କି ତାରଜାଲି ଦିଆଯାଇନାହିଁ । ବାଉଁଶ ବାଡ଼ ଦେଇ କାମ ଚଳାଇ ଦିଆଯାଇଛି । ଟିକିଏ ଅନ୍ୟମନସ୍କ ହେଲେ ଡ୍ରେନ୍‌ରେ ପଡ଼ି ଜୀବନ ଯାଇପାରେ । ମୁକୁଳା ନାଳ ଓ ଡ୍ରେନ୍ ଉପରେ ମହାନଗର ନିଗମ ସ୍ଲାବ୍ ପକାଇବା କଥା, ନହେଲେ ତାରଜାଲି ଦେବା କଥା । କିନ୍ତୁ ନିୟମ ପାଳନ କରାଯାଉନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । 

କଟକରେ ଏ ସମସ୍ୟା କେବଳ ଏହି ଗୋଟିଏ ଜାଗାର ନୁହେଁ, ବହୁତ ଜାଗାରେ ଡ୍ରେନ୍ ଓ ନାଳ ମୁକୁଳା ପଡ଼ିଛି । ତାଳଦଣ୍ଡା କେନାଲ କଡ଼ରେ ମଧ୍ୟ ବହୁସ୍ଥାନରେ କଂକ୍ରିଟ ବାଡ଼ ନାହିଁ । ବିଭିନ୍ନ ସ୍ଥାନରେ ଭାଙ୍ଗି ଗଲାଣି । କେଉଁଠି ବାଉଁଶ ବାଡ଼ ଦିଆଯାଇଛି । ଏହି ରାସ୍ତା ଦେଇ ପ୍ରତିଦିନ ଅନେକ ଗାଡ଼ି ଯାଆସ କରୁଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇଲେ ସିଧା କେନାଲରେ ପଡ଼ିବେ । କାହିଁକି  କଟକ ମହାନଗର ନିଗମ ପଦକ୍ଷେପ ନେଉନି? 

କଟକ ସହରରେ ମୁକୁଳା ଡ୍ରେନ ସମସ୍ୟା ପ୍ରତି ଯେମିତି କାହାର ଧ୍ୟାନ ନାହିଁ । ରାଜ୍ୟରେ ସରକାର ପରିବର୍ତ୍ତନ ହେଲା, କିନ୍ତୁ କଟକ ସହରରେ ଏହି ସମସ୍ୟା ସମାଧାନ ନେଇ  କେହି ନାଁ ଧରୁନାହାନ୍ତି ।  ଦୁର୍ଘଟଣା ଘଟିଲେ କିଏ ଦାୟୀ ହେବ?...