କନକ ବ୍ୟୁରୋ : ପ୍ରତିଦିନ ଖବର ଶିରୋନାମାରେ ରହୁଛି ନକଲି ମଦ ପ୍ରସଙ୍ଗ । ଏହି ନକଲି ମଦ ପିଇ ନିୟମିତ ଯାଉଛି ଅନେକଙ୍କ ଜୀବନ । ସାଧାରଣତଃ ଗାଁ ଗହଳିର ଗରିବ ଲୋକ ଏହି ରାକେଟ୍ର ଟାର୍ଗେଟ୍ରେ ରହିଥାନ୍ତି । ଅଳ୍ପ ଦାମ୍ରେ ଦାମୀ ମଦ ପିଇବା ନିଶା ହିଁ ନକଲି ମଦ କାରବାରକୁ ଦେଉଛି ବଳ । ତେବେ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ଠାବ ହେଉଛି ନକଲି ବିଦେଶୀ ମଦ କାରଖାନା । ନକଲି କାରଖାନାରୁ ବହୁ ଦାମୀ ମଦ ତିଆରି ହୋଇ ଗ୍ରାମାଞ୍ଚଳରେ ବିକ୍ରି ହେଉଥିବା ନେଇ ଆସୁଛି ସାଂଘାତିକ ଅଭିଯୋଗ । କିନ୍ତୁ ସବୁ ଜାଣି ବି ହାତ ବାନ୍ଧି ବସିଛି ଜିଲ୍ଲା ଅବକାରୀ ବିଭାଗ ।
ନିକଟରେ ନକଲି ମଦ କାରଖାନା ଉପରେ ଅନୁଗୁଳ ପୁଲିସ ସ୍ପେଶାଲ ସ୍କ୍ୱାଡ୍ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ପ୍ରଚୁର ପରିମାଣରେ ନକଲି ବିଦେଶୀ ମଦ ଜବତ ହୋଇଥିଲା । ତଳମୁର କଲେଜ ନିକଟ ଏକ ଜୁସ୍ ଫ୍ୟାକ୍ଟ୍ରିରେ ଚାଲିଥିଲା ନକଲି ମଦ କାରଖାନା । ବିଭିନ୍ନ ଦାମୀ ବ୍ରାଣ୍ଡର ବୋତଲ ଓ ଠିପି ଜବତ ହେବା ସହ ବ୍ୟବହୃତ କେମିକାଲ୍ ସାମଗ୍ରୀ ଜବତ ହୋଇଥିଲା । ଦୁଇ ଜଣଙ୍କୁ ଅଟକ ମଧ୍ୟ ରଖାଯାଇଥିଲା । ଶୁଭଲକ୍ଷ୍ମୀ ଜୁସ୍ ଫ୍ୟାକ୍ଟ୍ରିରେ ଚାଲିଥିଲା ଏହି ନକଲି ମଦ ତିଆରି କାର୍ଯ୍ୟ । ଆଉ ମିଳିଥିଲା ୮୦୦ଲିଟରରୁ ଅଧିକ ମଦ । ଏହି ମଦ ଜିଲ୍ଲା ତଥା ବାହାରକୁ ଚାଲାଣ ହେଥିଲା । ଏଥିରେ ସମ୍ପୃକ୍ତ ଦୁଇ ଜଣଙ୍କୁ ବାନ୍ଧି ଥିଲା ପୁଲିସ ।
ଅଧିକ ପଢ଼ନ୍ତୁ---ଆଇପିଏଲ୍ ପ୍ରସାରଣ ଉପରେ ରୋକ୍ ଲଗାଇଲା ବାଂଲାଦେଶ; ଜାଣନ୍ତୁ, କାରଣ....
ସେହିଭଳି ଗତ ନଭେମ୍ବରରେ ଅନୁଗୁଳ ସହର ଛାତି ଉପରେ ଶିକ୍ଷକପଡ଼ା ସାଇ ମନ୍ଦିର ଅଞ୍ଚଳରୁ ମଧ୍ୟ ଏକ ନକଲି ବିଦେଶୀ ମଦ କାରଖାନା ଉପରେ ଚଢ଼ାଉ କରିଥିଲା ପୁଲିସ । ଏହି ସବୁ ନକଲି ମଦ ପାଇଁ ବ୍ୟବହୃତ କାଚ ବୋତଲ ସବୁ କବାଡ଼ିରୁ ସଂଗ୍ରହ କରାଯାଉଥିଲା । କେମିକାଲ ଓ ସ୍ପିରିଟ, ଷ୍ଟିକର ସବୁ ବାହାରୁ ଆମଦାନୀ କରି ତିଆରି କରାଯାଉଥିଲା । ଗୋଟିଏ ଦାମୀ ବିଦେଶୀ ମଦର ୧୮୦ ମିଲି ତିଆରି କରିବା ପାଇଁ ମାତ୍ର ୧୨ ଟଙ୍କା ଲାଗୁଥିଲା ଓ ତାକୁ ୨୦ ଟଙ୍କାରେ ବିକ୍ରି କରାଯାଉଥିଲା । ଯାହାର ବଜାର ମୂଲ୍ୟ ପାଖାପାଖି ୨୦୦ ଟଙ୍କା ରହିଥାଏ । ଏହି ନକଲି ମଦ ପିଇବା ଦ୍ଵାରା ଅନେକ ଜୀବନ ମଧ୍ୟ ଯାଉଛି । ପରିବାର ସର୍ବସ୍ବାନ୍ତ ହୋଇପଡ଼ୁଛନ୍ତି । ଏହି ନକଲି ମଦ ତିଆରି କରି ଜୁସ ଗାଡ଼ିରେ ବିଭିନ୍ନ ଗ୍ରାମାଞ୍ଚଳରେ ବିକ୍ରି କରାଯାଉଛି । ଏହା ପଛରେ ବଡ଼ ରାକେଟ କାମ କରୁଥିବା ଅନୁମାନ କରାଯାଉଛି ।
କିଛି ଦିନ ବ୍ୟବଧାନରେ ଦୁଇଟି ଜାଗାରେ ଏହି ନକଲି ମଦ କାରଖାନା ଠାବ ହୋଇଥିବା ବେଳେ ଆହୁରି ଅନେକ ସ୍ଥାନରେ ଏହି ଭଳି ନକଲି ମଦ ତିଆରି କରାଯାଉଥିବା ଅନୁମାନ କରୁଛନ୍ତି ବୁଦ୍ଧିଜୀବୀ । କେବଳ ରେଡ୍ କରି ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ପୁଲିସ ଗିରଫ କରୁଛି, ସାମଗ୍ରୀ ଜବତ କରୁଛି । କିନ୍ତୁ ଏହା ପଛର ମାଷ୍ଟର ମାଇଣ୍ଡକୁ ଠାବ କରିପାରୁ ନାହିଁ । ମାଲିକ ମାନେ ଗୋଟିଏ ସ୍ଥାନରେ ରେଡ୍ ହେଲେ ଅନ୍ୟ ସ୍ଥାନରେ ତିଆରି କରୁଛନ୍ତି । କମ୍ ଟଙ୍କାରେ କମ୍ ସମୟ ମଧ୍ୟରେ ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଇ ଲାଲେ ଲାଲ ହେଉଛନ୍ତି ମାଷ୍ଟର ମାଇଣ୍ଡ । ଏନେଇ ଅବକାରୀ ବିଭାଗ ଅଧୀକ୍ଷକ ମଧୁସ୍ମିତା ନାୟକଙ୍କ ସହ ଆଲୋଚନା କରିବାରୁ ସେ କ୍ୟାମେରା ସମ୍ମୁଖରେ କିଛି ନକହି, ନକଲି ମଦ ତିଆରି କିମ୍ବା ବିକ୍ରି ହେଉଥିବା ଖବର ଦେଲେ ଆମେ ନିଶ୍ଚିତ ଭାବରେ ତଦନ୍ତ କରି ତା ଉପରେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି ଅତିସାଧାରଣ ଭାବେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/05/liqueur-2026-01-05-16-24-06.jpg)