କନକ ବ୍ୟୁରୋ : ଖୋର୍ଦ୍ଧା ଦେଇ ଯାଇଛି ୧୬ ନମ୍ବର ଓ ୫୭ ନମ୍ବର ଜାତୀୟ ରାଜପଥ । ଯାହା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ସହ ବିଭିନ୍ନ ରାଜ୍ୟକୁ ସଂଯୋଗ କରୁଛି । ଏହା ଦ୍ବାରା ଅନେକ ବ୍ଲକ ଓ ପଞ୍ଚାୟତକୁ ଯାତୟାତ ସହଜ ହୋଇଛି । ହଜାର ହଜାର ଗାଡ଼ି ପ୍ରତିଦିନ ଏହି ରାସ୍ତାରେ ଯା’ଆସ କରୁଛନ୍ତି । ହେଲେ ରାସ୍ତାରେ ଥିବା ମାଳମାଳ ହମ୍ପସ୍‌ ଯାତ୍ରୀଙ୍କ ପାଇଁ କାଳ ସାଜିଛି । ପ୍ରତିଦିନ ଦୁର୍ଘଟଣା ଘଟୁଛି। ନୀରିହ ଜୀବନ ଚାଲିଯାଉଛି । ହେଲେ ନିୟନ୍ତ୍ରଣରେ ଆସୁନି ବେଆଇନ ହମ୍ପସ୍ ନିର୍ମାଣ । 

Advertisment

ଜାତୀୟ ରାଜପଥ ପ୍ରାଧିକରଣ ହେଉ ଅବା ଗ୍ରାମ୍ୟ ଉନ୍ନୟନ କି ପୂର୍ତ୍ତ ବିଭାଗ । କାହାର ଏଥିପ୍ରତି ନିଘା ନଥିବା ଭଳି ଲାଗୁଛି । ହମ୍ପସ୍‌ ଥିବା ସ୍ଥାନରେ ବିଭାଗ ପକ୍ଷରୁ ସୂଚନା ଫଳକ ଓ ରାସ୍ତାରେ ଧଳା ଗାର ରହିବା କଥା । ମାତ୍ର ହାତଗଣତି କେତୋଟି ସ୍ଥାନକୁ ଛାଡ଼ିଦେଲେ କେଉଁଠି ଏହା ଦେଖିବାକୁ ମିଳୁନି । ଫଳରେ ଯାତ୍ରୀଟିଏ ହମ୍ପସ୍‌କୁ ଜାଣି ନପାରି ମୃତ୍ୟୁ ମୁଖରେ ପଡ଼ୁଛି । ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ୩୧୭ଟି ଦୁର୍ଘଟଣା ଘଟିଛି । ୧୨୨ ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ ପଟେ ସଡ଼କ ଦୁର୍ଘଟଣାକୁ ନିୟନ୍ତ୍ରଣରେ ରଖିବାକୁ ବ୍ୟବସ୍ଥା କରାଯାଉଛି । ଅନ୍ୟପଟେ ରାଜରାସ୍ତାରେ ବେଆଇନ ହମ୍ପସ୍‌ ନିର୍ମାଣ ଉପରେ ରୋକ ଲାଗିପାରୁନି । କେବେ ଏହି ସବୁ ହମ୍ପସ୍‌କୁ ରାଜପଥରୁ ହଟାଇବା ଦିଗରେ ପ୍ରଶାସନ ପଦକ୍ଷେପ ନେବ? ତାକୁ ଅପେକ୍ଷା ।