କନକ ବ୍ୟୁରୋ: ଜଣଙ୍କ ନାଁରେ ଗାଁଟାର ଯାକର ସବୁଜମି । ଗାଁରେ ପିଢ଼ି ପରେ ପିଢ଼ି ୭୦ ପରିବାର ରହୁଥିବା ବେଳେ ଅନ୍ୟ ଏକ ଗାଁର ଜଣଙ୍କ ନାଁରେ ପଟ୍ଟା ବାହାରୁଛି। ଲୋକଙ୍କୁ ସମ୍ପୃକ୍ତ ବ୍ୟକ୍ତି ଗାଁ ଛାଡ଼ିବାକୁ କହୁଥିବାରୁ ଲୋକମାନେ ଅସୁବିଧାରେ ପଡିଛନ୍ତି । ଆଉ କୋର୍ଟରେ ମାମଲା ଥିବା ଓ ତଦନ୍ତ ଚାଲିଥିବା କହି ତହସିଲଦାର ପ୍ରସଙ୍ଗକୁ ଏଡାଇଚାଲିଛନ୍ତି ।
ସମ୍ବଲପୁର ଜିଲ୍ଲା ମାନେଶ୍ଵର ତହସିଲ ବଦୁଆପାଲି ପଞ୍ଚାୟତର ଝାଙ୍କରବାହାଲି ଗାଁ । ରହୁଛନ୍ତି ୭୦ ପରିବାରର ୩୦୦ ଲୋକ । ୩ଟି ପରିବାର ଆଦିବାସୀ । ଅନ୍ୟମାନେ ଦଳିତ ବର୍ଗର। କିନ୍ତୁ ସବୁ ଜମିର ପଟ୍ଟା ଅନ୍ୟଏକ ଗାଁ ବାଦୁଆପାଲିର ଜଣଙ୍କ ନାଁରେ ବାହାରୁଛି। ଝାଙ୍କରବାହାଲି ଗାଁର କୌଣସି ଲୋକଙ୍କ ନାଁରେ ଜମି ନାହିଁ। ଲୋକମାନେ ବାପାଅଜା ଅମଳରୁ ପିଢ଼ିପିଢ଼ି ଘର କରି ରହୁଛନ୍ତି । ଏବେ ସମ୍ପୃକ୍ତ ଜମି ମାଲିକ ଜାଗା ଛାଡ଼ିବାକୁ କହୁଥିବାରୁ ଲୋକଙ୍କୁ ଭୟ ଘାରିଛି ।
ଝାଙ୍କରବାହାଲି ଗାଁର ପ୍ରାୟ ସମସ୍ତ ୬ ଏକର ଜମି ବାଦୁଆପାଲିର ଜଣେ ବ୍ୟକ୍ତିଙ୍କ ନାଁରେ ଅଛି । ବ୍ୟକ୍ତିଗତ ଜାଗା କୁହାଯାଉଥିବାରୁ କୌଣସି ବିକାଶ କାମ ହୋଇପାରୁନାହିଁ। ରାସ୍ତା ନାହିଁ କି ପାଣି ଯୋଗାଣ ବ୍ୟବସ୍ଥା ନାହିଁ। ନଳକୂଅ ଖୋଳିବାକୁ ବାରଣ କରିଛନ୍ତି ଜମି ମାଲିକ । ଲୋକଙ୍କୁ ପାଖ ଗାଁକୁ ଯାଇ ପାଣି ଆଣିବାକୁ ପଡୁଛି । ଲୋକ ନାନା ସମସ୍ୟା ଭିତରେ ଚଳୁଥିବା ବେଳେ ଏବେ ଜାଗା ଛାଡ଼ିବାକୁ ଜମି ମାଲିକ କହିବା ପରେ ଲୋକମାନେ ଆହୁରି ସମସ୍ୟାରେ ପଡ଼ି ଯାଇଛନ୍ତି । କିଛିଦିନ ତଳେ ଏହି ଗାଁର ସମସ୍ତ ଜମି ଜଣେ ବ୍ୟକ୍ତି ଆଉଜଣଙ୍କୁ ବିକିଛନ୍ତି । କିନ୍ତୁ ୩୦୦ ଲୋକ ରହୁଥିବା ଗାଁର ସବୁ ଜମି ଜଣଙ୍କ ନାଁରେ କେମିତି ହେଲା ?