Independence Day Special : ଆଜି ବି ମନେ ପଡ଼ନ୍ତି ବାଜି .. କୁନି ପିଲାଟେ ହେଲେ ମାଟି ମା’ ପାଇଁ ହସି ହସି ଖାଇଥିଲେ ଗୁଳି

ବୀର ସାହସୀ ପରି ଛାତିରେ ଖାଇଥିଲା ଗୁଳି ଆଉ ମାଟି ମା’ ପାଇଁ ଦେଇଥିଲା ବଳିଦାନ ଆଉ ପାଲଟି ଯାଇଥିଲା ସର୍ବକନିଷ୍ଠ ସ୍ବାଧୀନତା ସଂଗ୍ରାମୀ ବାଜି ରାଉତ । ଯାହାଙ୍କୁ ଆଜି ବି ଝୁରେ ଉତ୍କଳ । ଆଜି ବି ଇତିହାସର ପୃଷ୍ଠା ଲେଉଟାଇଲେ ସ୍ୱାଧିନତା ସଂଗ୍ରାମୀଙ୍କ ମଧ୍ୟରେ ବାଜି ରାଉତଙ୍କ ନାଁ ଆସେ ।

Bazi Rout

Bazi Rout Photograph: (KanakNews)

କନକ ବ୍ୟୁରୋ :୧୨ ବର୍ଷର କଅଁଳ ପିଲାଟେ ହେଲେ ଦେଶମାତୃକା ପାଇଁ ଥିଲା ଅହେତୁକ ଭଲ ପାଇବା । ନିଜ ଲୋକଙ୍କ ଉପରେ ଅତ୍ୟାଚାର କରୁଥିବା ଗୋରା ସାହେବଙ୍କ ଆଗରେ ଯିଏ ନୁଆଁଇ ନଥିଲା ମୁଣ୍ଡ । ବୀର ସାହସୀ ପରି ଛାତିରେ ଖାଇଥିଲା ଗୁଳି ଆଉ ମାଟି ମା’ ପାଇଁ ଦେଇଥିଲା ବଳିଦାନ ଆଉ ପାଲଟି ଯାଇଥିଲା ସର୍ବକନିଷ୍ଠ ସ୍ବାଧୀନତା ସଂଗ୍ରାମୀ ବାଜି ରାଉତ । ଯାହାଙ୍କୁ ଆଜି ବି ଝୁରେ ଉତ୍କଳ । ଆଜି ବି ଇତିହାସର ପୃଷ୍ଠା ଲେଉଟାଇଲେ ସ୍ୱାଧିନତା ସଂଗ୍ରାମୀଙ୍କ ମଧ୍ୟରେ ବାଜି ରାଉତଙ୍କ ନାଁ ଆସେ ।

Bazi
Bazi Photograph: (Google)

୧୯୨୬ ମସିହା ଅକ୍ଟୋବର ୫ ତାରିଖରେ ଢେଙ୍କାନାଳ ଜିଲ୍ଲାର ନିଳକଣ୍ଠପୁର ଗ୍ରାମରେ ଏକ ଗରିବ ଖଣ୍ଡାୟତ ପରିବାରରେ ଜନ୍ମ ନେଇଥିଲେ ବାଜି ରାଉତ । ବାଲ୍ୟକାଳରୁ ବାପାଛେଉଣ୍ଡ ଛୁଆଟିକୁ ମା’ ବଡ଼ କଷ୍ଟରେ ପାଳି ପୋଷି ବଡ଼ କରିଥିଲେ । ଚାଷଜମି ନଥିଲା ବୋଲି ପର ଘରେ ପାଇଟି କରି ମା’ପୁଅ ଦୁହେଁ ଭୋକିଲା ପେଟକୁ ଦାନା ଯୋଗାଡ଼ କରୁଥିଲେ । ବାଜି ଯେତେବେଳେ ଜାଣିବା ଶୁଣିବା ହେଲେ ସେତେବେଳର ଢେଙ୍କାନାଳର ରାଜା ଶଙ୍କର ପ୍ରତାପ ସିଂହଦେଓ ଗରିବମାନଙ୍କ ଉପରେ ଅତ୍ୟାଚାର କରୁଥିବାର ଅନୁଭବ କଲେ । ସେତେବେଳେ ଢେଙ୍କାନାଳର ବୈଷ୍ଣବ ଚରଣ ପଟ୍ଟନାୟକ ରାଜାଙ୍କ ବିରୋଧରେ ପ୍ରଜାମଣ୍ଡଳ ଆରମ୍ଭ କଲେ । ଯେଉଁଥିରେ ଏକ ଦଳ ଥିଲା ଯାହାକୁ ‘ବାନର ସେନା’ ବୋଲି କୁହାଯାଉଥିଲା । ଯେଉଁଥିରେ କୁନି କୁନି ପିଲା ସାମିଲ ହେଉଥିଲେ । ବାଜି ମଧ୍ୟ ଏହି ସେନାର ଜଣେ କୁନି ଯୋଦ୍ଧା ଥିଲେ , ଯିଏ ଇଂରେଜମାନଙ୍କୁ ଡଙ୍ଗାରେ ନଦୀ ପାର କରିବାକୁ ମନା କରି ଛାତିରେ ଗୁଳି ଖାଇ ଦେଶ ପ୍ରେମର ଉଦାହରଣ ଦେଇଗଲେ । 

Baji-rout
Baji-rout Photograph: (google)

ଇଂରେଜ ସରକାରଙ୍କ ରାଜତ୍ୱ କାଳରେ ଭାରତବର୍ଷରେ ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାଧାରଣ ପ୍ରଜାମାନେ ବିଭିନ୍ନ ଭାବରେ ଶୋଷଣ ଓ ଅତ୍ୟାଚାରିତ ହେଉଥିଲେ । ସେତେବେଳେ ଇଂରେଜ ସରକାର ସମଗ୍ର ଓଡ଼ିଶାକୁ ଦୁଇ ଭାଗରେ ବିଭକ୍ତ କରି ମୋଗଲବନ୍ଦୀ ଏବଂ ଗଡ଼ଜାତ ଅଞ୍ଚଳ ଭାବରେ ନାମିତ କରିଥିଲେ । ମୋଗଲବନ୍ଦୀ ଅଞ୍ଚଳଗୁଡ଼ିକରେ ଜମିଦାରମାନେ ଏବଂ ଗଡ଼ଜାତ ଅଞ୍ଚଳରେ ରାଜାମାନେ ଶାସନ ନାମରେ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । ଏହି ଦୁଇଭାଗ ମଧ୍ୟରୁ ଗଡ଼ଜାତ ଅଞ୍ଚଳର ପ୍ରଜାମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡୁଥିଲା । ଗଡ଼ଜାତ ରାଜ୍ୟର ରାଜା ତଥା ପାରିଷଦବର୍ଗଙ୍କ ଅନ୍ୟାୟ, ଅତ୍ୟାଚାର, ଶୋଷଣ, ବେଠି, ଜୋରଜବରଦସ୍ତ ଟିକସ ଆଦାୟ, ମନମୁଖି ଶାସନ, ମିଥ୍ୟା ମକଦ୍ଦମା ଆଦିରେ ଜର୍ଜରିତ ହେଉଥିଲେ ଗଡ଼ଜାତବାସୀ । ବେଳେ ବେଳେ ଏହି ଶୋଷଣ କଷଣର ଫଳସ୍ୱରୁପ ପୁଞ୍ଜୀଭୁତ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇ ବିସ୍ପୋରଣର ରୂପ ଧାରଣ କରୁଥିଲା, କିନ୍ତୁ ଇଂରେଜ ସରକାର ତାହାକୁ କଳେବଳେ କୌଶଳେ ଦମନ କରିନେଉଥିଲେ । ୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ୱେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ । ପ୍ରଜାମଣ୍ଡଳର ସିପାହୀ ହୋଇଥିବାରୁ ଘାଟ ଡଙ୍ଗା ଜଗିବା ସେଦିନ ତାଙ୍କର ପାଳି ଥିଲା । ପ୍ରଜାମଣ୍ଡଳର ହୁକୁମ ଥିଲା ନଦୀଘାଟରୁ ଦୂରରେ ଡଙ୍ଗା ଲୁଚେଇ ରଖିବ, ଗୋରା ଫଉଜମାନେ ଯେପରି ନଦୀ ପାର ନ ହୁଅନ୍ତି, ସେମାନଙ୍କ ଗତିବିଧି ଉପରେ ନଜର ରଖି ଖବର ଦେବ, ଆଉ ପ୍ରଜାମଣ୍ଡଳର ସାଥୀଙ୍କୁ ନିରାପଦରେ ପାରି କରାଇବ । ଯେତେବେଳେ ପୁଲିସ ପ୍ରଜା ମଣ୍ଡଳ ଆନ୍ଦୋଳନ ଦମନ କରିବାକୁ ଆସିଲେ ଆଉ ସେମାନଙ୍କ ଆଦେଶ ସତ୍ତ୍ୱେ ବାଜି ରାଉତ ଘାଟରୁ ଡଙ୍ଗା ଫିଟାଇଲେ ନାହିଁ । ପୁଲିସର ଧମକ ସତ୍ତ୍ୱେ କିଛି ଲାଭ ନ ହେବାରୁ ସେମାନେ ବାଜିଙ୍କୁ ସେଇଠି ଗୁଳି କରି ହତ୍ୟା କରିଥିଲେ । ବାଜି ରାଉତଙ୍କ ଚିତ୍କାରରେ ସେତେବେଳକୁ ଅନେକ ଲୋକ ଆସିଯାଇଥିଲେ । ସେମାନେ ଡଙ୍ଗାକୁ ବାନ୍ଧି ରଖିଲେ । ପୁଲିସ ଛୁରିରେ ଡଙ୍ଗା ଦଉଡ଼ି କାଟି ମଝି ନଈକୁ ଡଙ୍ଗା ବୋହିନେଲେ । ଡଙ୍ଗା ମଝି ନଈରେ ଥିବାବେଳେ ସେମାନେ କୂଳରେ ଥିବା ଲୋକଙ୍କୁ ଗୁଳି ଚାଳନା କଲେ । ସେଇଠି ଟଳି ପଡିଲେ ନିଳକଣ୍ଠପୁର ଗାଁର ଆଉ କେତେ ଜଣ । ଦେଶ ପାଇଁ ପିଲା ବଡ଼ ମିଶି ସାତ ଜଣ ସହିଦ ହୋଇଗଲେ । ଦେଶର ସେବା ପାଇଁ ଜୀବନ ଦେଇ ସ୍ବର୍ଣ୍ଣିମ ଅକ୍ଷରରେ ସବୁ ଦିନ ପାଇଁ ଚୀର ଅମର ହୋଇ ରହିଛନ୍ତି ବାଳୁତ ବୀର ସହିଦ ବାଜି ରାଉତ ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe