କନକ ବ୍ୟୁରୋ :୧୨ ବର୍ଷର କଅଁଳ ପିଲାଟେ ହେଲେ ଦେଶମାତୃକା ପାଇଁ ଥିଲା ଅହେତୁକ ଭଲ ପାଇବା । ନିଜ ଲୋକଙ୍କ ଉପରେ ଅତ୍ୟାଚାର କରୁଥିବା ଗୋରା ସାହେବଙ୍କ ଆଗରେ ଯିଏ ନୁଆଁଇ ନଥିଲା ମୁଣ୍ଡ । ବୀର ସାହସୀ ପରି ଛାତିରେ ଖାଇଥିଲା ଗୁଳି ଆଉ ମାଟି ମା’ ପାଇଁ ଦେଇଥିଲା ବଳିଦାନ ଆଉ ପାଲଟି ଯାଇଥିଲା ସର୍ବକନିଷ୍ଠ ସ୍ବାଧୀନତା ସଂଗ୍ରାମୀ ବାଜି ରାଉତ । ଯାହାଙ୍କୁ ଆଜି ବି ଝୁରେ ଉତ୍କଳ । ଆଜି ବି ଇତିହାସର ପୃଷ୍ଠା ଲେଉଟାଇଲେ ସ୍ୱାଧିନତା ସଂଗ୍ରାମୀଙ୍କ ମଧ୍ୟରେ ବାଜି ରାଉତଙ୍କ ନାଁ ଆସେ ।

Advertisment
Bazi
Bazi Photograph: (Google)

୧୯୨୬ ମସିହା ଅକ୍ଟୋବର ୫ ତାରିଖରେ ଢେଙ୍କାନାଳ ଜିଲ୍ଲାର ନିଳକଣ୍ଠପୁର ଗ୍ରାମରେ ଏକ ଗରିବ ଖଣ୍ଡାୟତ ପରିବାରରେ ଜନ୍ମ ନେଇଥିଲେ ବାଜି ରାଉତ । ବାଲ୍ୟକାଳରୁ ବାପାଛେଉଣ୍ଡ ଛୁଆଟିକୁ ମା’ ବଡ଼ କଷ୍ଟରେ ପାଳି ପୋଷି ବଡ଼ କରିଥିଲେ । ଚାଷଜମି ନଥିଲା ବୋଲି ପର ଘରେ ପାଇଟି କରି ମା’ପୁଅ ଦୁହେଁ ଭୋକିଲା ପେଟକୁ ଦାନା ଯୋଗାଡ଼ କରୁଥିଲେ । ବାଜି ଯେତେବେଳେ ଜାଣିବା ଶୁଣିବା ହେଲେ ସେତେବେଳର ଢେଙ୍କାନାଳର ରାଜା ଶଙ୍କର ପ୍ରତାପ ସିଂହଦେଓ ଗରିବମାନଙ୍କ ଉପରେ ଅତ୍ୟାଚାର କରୁଥିବାର ଅନୁଭବ କଲେ । ସେତେବେଳେ ଢେଙ୍କାନାଳର ବୈଷ୍ଣବ ଚରଣ ପଟ୍ଟନାୟକ ରାଜାଙ୍କ ବିରୋଧରେ ପ୍ରଜାମଣ୍ଡଳ ଆରମ୍ଭ କଲେ । ଯେଉଁଥିରେ ଏକ ଦଳ ଥିଲା ଯାହାକୁ ‘ବାନର ସେନା’ ବୋଲି କୁହାଯାଉଥିଲା । ଯେଉଁଥିରେ କୁନି କୁନି ପିଲା ସାମିଲ ହେଉଥିଲେ । ବାଜି ମଧ୍ୟ ଏହି ସେନାର ଜଣେ କୁନି ଯୋଦ୍ଧା ଥିଲେ , ଯିଏ ଇଂରେଜମାନଙ୍କୁ ଡଙ୍ଗାରେ ନଦୀ ପାର କରିବାକୁ ମନା କରି ଛାତିରେ ଗୁଳି ଖାଇ ଦେଶ ପ୍ରେମର ଉଦାହରଣ ଦେଇଗଲେ । 

Baji-rout
Baji-rout Photograph: (google)

ଇଂରେଜ ସରକାରଙ୍କ ରାଜତ୍ୱ କାଳରେ ଭାରତବର୍ଷରେ ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାଧାରଣ ପ୍ରଜାମାନେ ବିଭିନ୍ନ ଭାବରେ ଶୋଷଣ ଓ ଅତ୍ୟାଚାରିତ ହେଉଥିଲେ । ସେତେବେଳେ ଇଂରେଜ ସରକାର ସମଗ୍ର ଓଡ଼ିଶାକୁ ଦୁଇ ଭାଗରେ ବିଭକ୍ତ କରି ମୋଗଲବନ୍ଦୀ ଏବଂ ଗଡ଼ଜାତ ଅଞ୍ଚଳ ଭାବରେ ନାମିତ କରିଥିଲେ । ମୋଗଲବନ୍ଦୀ ଅଞ୍ଚଳଗୁଡ଼ିକରେ ଜମିଦାରମାନେ ଏବଂ ଗଡ଼ଜାତ ଅଞ୍ଚଳରେ ରାଜାମାନେ ଶାସନ ନାମରେ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । ଏହି ଦୁଇଭାଗ ମଧ୍ୟରୁ ଗଡ଼ଜାତ ଅଞ୍ଚଳର ପ୍ରଜାମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡୁଥିଲା । ଗଡ଼ଜାତ ରାଜ୍ୟର ରାଜା ତଥା ପାରିଷଦବର୍ଗଙ୍କ ଅନ୍ୟାୟ, ଅତ୍ୟାଚାର, ଶୋଷଣ, ବେଠି, ଜୋରଜବରଦସ୍ତ ଟିକସ ଆଦାୟ, ମନମୁଖି ଶାସନ, ମିଥ୍ୟା ମକଦ୍ଦମା ଆଦିରେ ଜର୍ଜରିତ ହେଉଥିଲେ ଗଡ଼ଜାତବାସୀ । ବେଳେ ବେଳେ ଏହି ଶୋଷଣ କଷଣର ଫଳସ୍ୱରୁପ ପୁଞ୍ଜୀଭୁତ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇ ବିସ୍ପୋରଣର ରୂପ ଧାରଣ କରୁଥିଲା, କିନ୍ତୁ ଇଂରେଜ ସରକାର ତାହାକୁ କଳେବଳେ କୌଶଳେ ଦମନ କରିନେଉଥିଲେ । ୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ୱେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ । ପ୍ରଜାମଣ୍ଡଳର ସିପାହୀ ହୋଇଥିବାରୁ ଘାଟ ଡଙ୍ଗା ଜଗିବା ସେଦିନ ତାଙ୍କର ପାଳି ଥିଲା । ପ୍ରଜାମଣ୍ଡଳର ହୁକୁମ ଥିଲା ନଦୀଘାଟରୁ ଦୂରରେ ଡଙ୍ଗା ଲୁଚେଇ ରଖିବ, ଗୋରା ଫଉଜମାନେ ଯେପରି ନଦୀ ପାର ନ ହୁଅନ୍ତି, ସେମାନଙ୍କ ଗତିବିଧି ଉପରେ ନଜର ରଖି ଖବର ଦେବ, ଆଉ ପ୍ରଜାମଣ୍ଡଳର ସାଥୀଙ୍କୁ ନିରାପଦରେ ପାରି କରାଇବ । ଯେତେବେଳେ ପୁଲିସ ପ୍ରଜା ମଣ୍ଡଳ ଆନ୍ଦୋଳନ ଦମନ କରିବାକୁ ଆସିଲେ ଆଉ ସେମାନଙ୍କ ଆଦେଶ ସତ୍ତ୍ୱେ ବାଜି ରାଉତ ଘାଟରୁ ଡଙ୍ଗା ଫିଟାଇଲେ ନାହିଁ । ପୁଲିସର ଧମକ ସତ୍ତ୍ୱେ କିଛି ଲାଭ ନ ହେବାରୁ ସେମାନେ ବାଜିଙ୍କୁ ସେଇଠି ଗୁଳି କରି ହତ୍ୟା କରିଥିଲେ । ବାଜି ରାଉତଙ୍କ ଚିତ୍କାରରେ ସେତେବେଳକୁ ଅନେକ ଲୋକ ଆସିଯାଇଥିଲେ । ସେମାନେ ଡଙ୍ଗାକୁ ବାନ୍ଧି ରଖିଲେ । ପୁଲିସ ଛୁରିରେ ଡଙ୍ଗା ଦଉଡ଼ି କାଟି ମଝି ନଈକୁ ଡଙ୍ଗା ବୋହିନେଲେ । ଡଙ୍ଗା ମଝି ନଈରେ ଥିବାବେଳେ ସେମାନେ କୂଳରେ ଥିବା ଲୋକଙ୍କୁ ଗୁଳି ଚାଳନା କଲେ । ସେଇଠି ଟଳି ପଡିଲେ ନିଳକଣ୍ଠପୁର ଗାଁର ଆଉ କେତେ ଜଣ । ଦେଶ ପାଇଁ ପିଲା ବଡ଼ ମିଶି ସାତ ଜଣ ସହିଦ ହୋଇଗଲେ । ଦେଶର ସେବା ପାଇଁ ଜୀବନ ଦେଇ ସ୍ବର୍ଣ୍ଣିମ ଅକ୍ଷରରେ ସବୁ ଦିନ ପାଇଁ ଚୀର ଅମର ହୋଇ ରହିଛନ୍ତି ବାଳୁତ ବୀର ସହିଦ ବାଜି ରାଉତ ।