କନକ ବ୍ୟୁରୋ: କ୍ରୀଡାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଲୋକସଭାରେ ଜାତୀୟ ଖେଳ ବିଧେୟକ ଉପସ୍ଥାପନ କରିଛନ୍ତି ।  ଖେଳସଂଘ ଗୁଡିକରେ ପାରଦର୍ଶିତା ଓ ଉତ୍ତର ଦାୟିତ୍ବ ଆଣିବା ପାଇଁ ସରକାର ଆଜି ଏହି ବିଧେୟକ ପାର୍ଲାମେଣ୍ଟରେ ଆଣିଛନ୍ତି । ସବୁଠାରୁ ବଡ କଥା ହେଲା, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ, ବିସିସିଆଇ ଏହି ବିଲ୍ ଅଧିନରେ ଆସିବ । ଆଜି ଯାଏଁ ବିସିସିଆଇ ସରକାରଙ୍କ ନିୟନ୍ତ୍ରଣରେ ନଥିଲା । ଆର୍ଥିକ ଭାବେ ସ୍ୱତନ୍ତ୍ର ଥିଲା । ତେବେ ଟି-ଟ୍ବେଣ୍ଟି କ୍ରିକେଟ ୨୦୨୮ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ସାମିଲ ହୋଇଛି । ଏହା ଫଳରେ ବିସିସିଆଇ ଔପଚାରିକ ଭାବେ ଅଲିମ୍ପିକ ଆନ୍ଦୋଳନର ଅଂଶ ବି ବନିଛି । ଏଭଳି ସମୟରେ ବିସିସିଆଇକୁ ପ୍ରଶାସନିକ ଢାଞ୍ଚା ମଧ୍ୟକୁ ଆଣିବା ସରକାରଙ୍କ ପାଇଁ ଅନିବାର୍ଯ୍ୟ ହୋଇପଡିଛି । 

Advertisment

ଏବେ ଆସନ୍ତୁ ଜାଣିବା ଜାତୀୟ ଖେଳ ବିଧେୟକ ଆଇନରେ ପରିଣତ ହେଲେ କଣ ସବୁ ପରିବର୍ତ୍ତନ ହେବ ।  ବିସିସିଆଇକୁ ପ୍ରସ୍ତାବିତ ରାଷ୍ଟ୍ରୀୟ ଖେଳ ବୋର୍ଡର ଅନୁମତି ନେବାକୁ ହେବ । ଆଇନକୁ ଆସିବା ପରେ ବିସିସିଆଇକୁ ଦେଶର ଆଇନକୁ ମାନିବାକୁ ପଡିବ ସୂଚନା ଅଧିକାର ଆଇନ, ଆରଟିଆଇ ଅଧିନକୁ ଆସିବ ବିସିସିଆଇ । ବିସିସିଆଇ ସ୍ବତନ୍ତ୍ର ସଂସ୍ଥା ରହିବ, କିନ୍ତୁ ବିବାଦର ସମାଧାନ ଜାତୀୟ କ୍ରୀଡା ଟ୍ରିବ୍ୟୁନାଲରେ ହେବ । ବିଲରେ ଜାତୀୟ କ୍ରୀଡା ଟ୍ରିବ୍ୟୁନାଲ ଗଠନ ପାଇଁ ପ୍ରସ୍ତାବ ରହିଛି । ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ କେବଳ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରିବ । ନିର୍ବାଚନରେ ଅନିୟମିତତା ହେଲେ ରଦ୍ଦ ହେବ ସ୍ବୀକୃତି । ବାର୍ଷିକ ଅଡିଟ ଭୁଲ ହେଲେ କଡା କାର୍ଯ୍ୟାନୁଷ୍ଠାନ ।

ଏହି ବିଲରେ ପଦାଧିକାରୀଙ୍କ ବୟସ ସୀମା ଏବଂ କାର୍ଯ୍ୟକାଳ ଉପରେ ନିୟମ ରହିଛି । ପ୍ରଶାସକଙ୍କ ବୟସ ସୀମା ୭୦ ରଖାଯାଇଥିବା ବେଳେ, କିଛି କ୍ଷେତ୍ରରେ ଏହାକୁ ୭୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ, ଯଦି ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ଏଥିରେ ଆପତ୍ତି ନ କରନ୍ତି । ଏହି ବ୍ୟବସ୍ଥା ଯୋଗୁଁ ବିସିସିଆଇର ବର୍ତ୍ତମାନର ସଭାପତି ରୋଜର ବିନ୍ନି, ଯିଏ ନିକଟରେ ୭୦ ବର୍ଷ ବୟସ ଅତିକ୍ରମ କରିଛନ୍ତି, ତାଙ୍କ କାର୍ଯ୍ୟକାଳ ବଢ଼ିବାର ସମ୍ଭାବନା ରହିଛି ।  ନୂଆ ବିଲ୍ ଅନୁଯାୟୀ, ସମସ୍ତ କ୍ରୀଡ଼ା ସଂଘର କାର୍ଯ୍ୟକାରୀ କମିଟିରେ ଖେଳାଳିଙ୍କ ପ୍ରତିନିଧିତ୍ୱ ବାଧ୍ୟତାମୂଳକ କରାଯାଇଛି । ଏହାସହ ପ୍ରତ୍ୟେକ କ୍ରୀଡ଼ା ସଂସ୍ଥାର ଶୀର୍ଷ ନିଷ୍ପତ୍ତି ଗ୍ରହଣକାରୀ ବୋର୍ଡରେ ଅତି କମରେ ଚାରିଜଣ ମହିଳା ସଦସ୍ୟ ରହିବେ ।

ଜାତୀୟ କ୍ରୀଡା ଶାସନ ଆଇନ 2025 ଅନୁଯାୟୀ, ଏହି ବିଲ୍ ଆଗତ ହେବା ପରେ ଜାତୀୟ ଅଲିମ୍ପିକ୍ ସଂଘ, ଜାତୀୟ ପାରା ଅଲିମ୍ପିକ୍ ସଂଘ, ସମସ୍ତ ଜାତୀୟ କ୍ରୀଡା, ଆଞ୍ଚଳିକ କ୍ରୀଡା ସଂଘ, ରାଜ୍ୟ ଠାରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ୟୁନିଟ୍ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଆସିବେ । ତଥାପି, ବିଲ୍‌ରେ କୌଣସି ସ୍ଥାନରେ କୌଣସି କ୍ରୀଡା ସଂଘର ନାମ ନିଆଯାଇ ନାହିଁ । ସୂତ୍ର ଅନୁଯାୟୀ, ଅନ୍ୟ କ୍ରୀଡା ବୋର୍ଡ, ଫେଡେରେସନ୍ ଏବଂ ସଂଘ ଯେପରି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ମଧ୍ୟ ବିଲ୍‌ର ବ୍ୟବସ୍ଥାର ପରିସରଭୁକ୍ତ ହେବ ।

ବିଲ୍‌ର ବ୍ୟବସ୍ଥା ଅନୁଯାୟୀ, ସ୍ୱୟଂ-ଅର୍ଥପ୍ରାପ୍ତ ଏବଂ ସ୍ୱୟଂଶାସିତ କ୍ରୀଡ଼ା ବୋର୍ଡଗୁଡ଼ିକର କାର୍ଯ୍ୟରେ କୌଣସି ହସ୍ତକ୍ଷେପ କରାଯିବ ନାହିଁ । ସେମାନଙ୍କର ସ୍ୱାୟତ୍ତତା ବଜାୟ ରହିବ କିନ୍ତୁ ଜାତୀୟ ମଧ୍ୟସ୍ଥତା ମାଧ୍ୟମରେ ବୋର୍ଡଗୁଡ଼ିକର ଯେକୌଣସି ବିବାଦର ସମାଧାନ କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ବିଲ୍‌ର ଅର୍ଥ କୌଣସି NSF ଉପରେ ସରକାରୀ ନିୟନ୍ତ୍ରଣ ନୁହେଁ ବରଂ ସରକାରଙ୍କୁ ସୁଶାସନ ସୁନିଶ୍ଚିତ କରିବାରେ ଏକ ସହଭାଗୀର ଭୂମିକା ଗ୍ରହଣ କରିବାକୁ ପଡିବ । ବିଲ୍‌ର ଲକ୍ଷ୍ୟ ହେଉଛି ସମୟୋଚିତ ନିର୍ବାଚନ, ପ୍ରଶାସନିକ ଉତ୍ତରଦାୟିତ୍ୱ ଏବଂ ଖେଳାଳିଙ୍କ କଲ୍ୟାଣ ପାଇଁ ଏକ ଦୃଢ଼ କ୍ରୀଡ଼ା ଗଠନ ସୃଷ୍ଟି କରିବା ।