trump Photograph: (Kanak news)
କନକ ବ୍ୟୁରୋ: ନ୍ୟୁୟର୍କର ଏକ ଅଦାଲତରେ ବୁଧବାର ଦିନ ଏକ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି, ଯାହା ଅନ୍ତର୍ଜାତୀୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି । ପାକିସ୍ତାନୀ ନାଗରିକ ଆସିଫ ମର୍ଚ୍ଚାଣ୍ଟ ଜଜଙ୍କ ସମ୍ମୁଖରେ ସ୍ୱୀକାର କରିଛନ୍ତି ଯେ, ଇରାନର ଗୁପ୍ତଚର ଏଜେଣ୍ଟମାନେ ତାଙ୍କୁ ଜବରଦସ୍ତ ଆମେରିକାର ପ୍ରମୁଖ ରାଜନେତାଙ୍କୁ ହତ୍ୟା କରିବା ଷଡ଼ଯନ୍ତ୍ରରେ ସାମିଲ କରିଥିଲେ । ଆସିଫଙ୍କ ଉପରେ ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ 'କଣ୍ଟ୍ରାକ୍ଟ କିଲିଂ'ର ଗୁରୁତର ଅଭିଯୋଗ ରହିଛି।
ଆସିଫ ମର୍ଚ୍ଚାଣ୍ଟଙ୍କ ଦାବି ଅନୁଯାୟୀ, ଇରାନର 'ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ'ର ହ୍ୟାଣ୍ଡଲର ମେହେରଦାଦ ୟୁସୁଫ୍ ତାଙ୍କୁ ଏପ୍ରିଲ ୨୦୨୪ରେ ଆମେରିକା ପଠାଇଥିଲେ । ତାଙ୍କୁ କୁହାଯାଇଥିଲା ଯେ ଆମେରିକାରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ହତ୍ୟା କରିବାକୁ ପଡ଼ିପାରେ । ଏହି ତାଲିକାରେ ତିନୋଟି ବଡ଼ ନାମ ଥିଲା - ଡୋନାଲ୍ଡ ଟ୍ରମ୍ପ, ଜୋ ବାଇଡେନ ଏବଂ ନିକ୍କି ହେଲି । ସେହି ସମୟରେ ଟ୍ରମ୍ପ ଏବଂ ବାଇଡେନ ରାଷ୍ଟ୍ରପତି ନିର୍ବାଚନର ମୁଖ୍ୟ ପ୍ରାର୍ଥୀ ଥିବାବେଳେ ହେଲି ନିର୍ବାଚନ ଦୌଡ଼ରୁ ଓହରି ସାରିଥିଲେ ।
କୋର୍ଟରେ ନିଜର ପକ୍ଷ ରଖି ଆସିଫ କହିଛନ୍ତି, "ମୋ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା । ମୋ ପରିବାରକୁ ଧମକ ଦିଆଯାଇଥିଲା । ଇରାନରେ ରହୁଥିବା ମୋର ସମ୍ପର୍କୀୟଙ୍କ ଉପରେ ଚାପ ପକାଯାଇଥିଲା ।" ଆସିଫଙ୍କ ପତ୍ନୀ ଓ ତିନି ସନ୍ତାନ ପାକିସ୍ତାନରେ ରହୁଥିବା ବେଳେ ତାଙ୍କର ଅନ୍ୟ ସମ୍ପର୍କୀୟମାନେ ଇରାନରେ ଅଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଇରାନୀ ହ୍ୟାଣ୍ଡଲର ତାଙ୍କ ଘର ବାହାରକୁ ଆସି ପରିବାର ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ, ଯାହାଫଳରେ ଆସିଫ ଏହି କାମ କରିବାକୁ ବାଧ୍ୟ ହୋଇଥିଲେ।
ଆହୁରି ପଢ଼ନ୍ତୁ.... ବିଶ୍ୱର ସବୁଠାରୁ ବଡ଼ ଚୋକର୍ସ ଟିମ୍ ! ଦଳରେ ଅଛନ୍ତି ଅନେକ ପ୍ରତିଭାବାନ ଖେଳାଳି, ହେଲେ ସାଥ୍ ଦେଉନି ଭାଗ୍ୟ
ଜୁନ ୨୦୨୪ରେ ଏଫବିଆଇର ଲୁଚି ରହିଥିବା କ୍ୟାମେରାରେ ଆସିଫଙ୍କର ଏକ ଭିଡିଓ ରେକର୍ଡ ହୋଇଥିଲା । ସେଥିରେ ସେ ଜଣେ ରିପବ୍ଲିକାନ ନେତାଙ୍କୁ ହତ୍ୟା କରିବାର ଯୋଜନା କରୁଥିବା ଦେଖାଯାଇଥିଲା । ଭିଡିଓରେ ସେ ପଚାରୁଥିଲେ, "ଏଇଟା ହିଁ ଟାର୍ଗେଟ । ଏହା କିଭଳି ମରିବ?" ଏହି କାମ ପାଇଁ ତାଙ୍କୁ ୫୦୦୦ ଡଲାର ଅଗ୍ରିମ ମଧ୍ୟ ମିଳିଥିଲା।
ଆଶ୍ଚର୍ଯ୍ୟଜନକ ଭାବେ ଆସିଫ କୋର୍ଟରେ କହିଛନ୍ତି ଯେ, ସେ ଜାଣିଥିଲେ ଏହି ଷଡ଼ଯନ୍ତ୍ର ସଫଳ ହେବ ନାହିଁ । "କେହି ମାତ୍ର ୫୦୦୦ ଡଲାରରେ ଏତେ ବଡ଼ ହତ୍ୟାକାଣ୍ଡ ଘଟାଏ ନାହିଁ । ମୁଁ ଜାଣିଥିଲି ଯେ ମୁଁ ଧରାପଡ଼ିବି" । ସେ ଦାବି କରିଛନ୍ତି ଯେ ସେ ଆମେରିକା ସରକାରଙ୍କୁ ଏହି ବିଷୟରେ ଜଣାଇବାକୁ ଚାହୁଥିଲେ ଏବଂ ଗ୍ରୀନ୍ କାର୍ଡ ପାଇଁ ଆବେଦନ କରିବାକୁ ଲକ୍ଷ୍ୟ ରଖିଥିଲେ।
ଯଦି ଆସିଫ ମର୍ଚ୍ଚାଣ୍ଟ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ଆଜୀବନ କାରାଦଣ୍ଡ ହୋଇପାରେ । ଏହି ମାମଲା ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତାକୁ ଆହୁରି ବଢ଼ାଇ ଦେଇଛି । ପୂର୍ବରୁ ମଧ୍ୟ ଡୋନାଲ୍ଡ ଟ୍ରମ୍ପ ଦାବି କରିଆସୁଛନ୍ତି ଯେ ଇରାନ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଛି । ବର୍ତ୍ତମାନ ଏହି କୋର୍ଟ କାର୍ଯ୍ୟବାହୀ ସାରା ବିଶ୍ୱର ନଜରରେ ରହିଛି ।
Follow Us