କନକ ବ୍ୟୁରୋ : ତିନି ଦିନିଆ ପ୍ରବାସୀ ଭାରତୀୟ ଦିବସ ପାଇଁ ପ୍ରସ୍ତୁତ ଅଛି ପର୍ଯ୍ୟଟନ ବିଭାଗ । ଓଡିଶାର ବେଷ୍ଟ କେପ୍ଟ ସିକ୍ରେଟ୍କୁ ଗୋଟି ଗୋଟି କରି ସାମ୍ନାକୁ ଆଣିବ ପ୍ରବାସୀ ଭାରତୀୟ ଦିବସ । ସମ୍ମିଳନୀକୁ ନେଇ ଉପମୁଖ୍ୟମନ୍ତ୍ରୀ ତଥା ପର୍ୟ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ୧୦ ତାରିଖରେ ଦେଶର ରାଷ୍ଟ୍ରପତି ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବେ। ୯ ତାରିଖରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଯୋଗଦେବେ । ୬ ତାରିଖରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଉପସ୍ଥିତ ଭୁବନେଶ୍ଵରରେ ଉପସ୍ଥିତ ରହିବେ । ରାଜ୍ୟ ସରକାରଙ୍କ ସବୁ ବିଭାଗର ସହଯୋଗରେ ଚାଲିଛି ପ୍ରସ୍ତୁତି। ଏହି ସମୟରେ ଭୁବନେଶ୍ବରରେ ପଥ ଉତ୍ସବ ଚାଲିବ । ପୁରୀରେ ସି ବିଚ୍ ଫେଷ୍ଟିଭାଲ ଚାଲିବ । ମୁକ୍ତେଶ୍ଵର ଫେଷ୍ଟିଭାଲଠୁ ଆରମ୍ଭ କରି ଯାହା ଯାହା ଉତ୍ସବ ଅଛି, ରାଜ୍ୟର କଳା ସଂସ୍କୃତି ସମେତ ୩୧ଟି ପର୍ୟ୍ୟଟନ ସ୍ଥଳୀକୁ ପ୍ରଦର୍ଶିତ କରିବାକୁ ପ୍ରସ୍ତୁତ କରାଯାଇଛି । ବୁଦ୍ଧିଷ୍ଟ କରିଡ଼ର ହେଉ ବା ସ୍ପିରିଚୁଆଲ ଟୁରିଜିମ୍, ଅଥବା ପକ୍ଷୀ ଉତ୍ସବ ହେଉ, ସବୁ କିଛି ବ୍ୟବସ୍ଥା କରାଯାଇଛି । ପ୍ରବାସୀ ଭାରତୀୟଙ୍କୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲାଇ ବୁଝାଇବା ପାଇଁ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ କହି ପାରୁଥିବା ଗାଇଡ ରହିବେ । ଯେଉଁ ହୋଟେଲରେ ପ୍ରବାସୀ ଭାରତୀୟ ରହିବେ, ସେ ହୋଟେଲର ବ୍ୟବସ୍ଥା, ହୋଟେଲର ସୁରକ୍ଷା ବ୍ୟବସ୍ଥା, ସେଠାରୁ ବିଭିନ୍ନ ସ୍ଥାନକୁ କିଭଳି ଡବଲ ଡେକର ଗାଡ଼ିରେ ବୁଲିବେ ତାହା ସୁନିଶ୍ଚିତ କରାଯାଇଛି । ଏହା ଆମ ଓଡ଼ିଆ ଲୋକଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହେବ । ଅଢ଼େଇ ହଜାର ପ୍ରବାସୀ ଭାରତୀୟ ଓଡ଼ିଶା ଆସିବା ପାଇଁ ପଞ୍ଜିକରଣ କରି ସାରିଥିଲେ । କିଛି ପ୍ରବାସୀ ଭାରତୀୟ ଓଡ଼ିଆ ଲୋକଙ୍କ ଘରେ ହୋମ ଷ୍ଟେ'ରେ ରହିବେ। ଓଡ଼ିଆ ଘରର ଖାଦ୍ୟ ଖାଇବେ, ଓଡ଼ିଶାର ଖାଦ୍ୟ ପ୍ରଣାଳୀ, ଓଡ଼ିଶାର ଅତିଥେୟତା, ବିଶ୍ଵ ଦରବାରରେ ଦେଖାଇବାର ଆମ ପାଇଁ ବଡ଼ ସୁଯୋଗ । ଯେଉଁ ବେଷ୍ଟ କେପ୍ଟ ସିକ୍ରେଟ ଥିଲା, ସେ ସିକ୍ରେଟ୍ କୁ ଗୋଟି ଗୋଟି କରି ରିଭେଲ କରିବାର ସମୟ ଆସିଛି ।