କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ଭାରତୀୟ ଅର୍ଥନୀତିର ଦୃଢ଼ତା ଉପରେ ଜୋର୍ ଦେଇଛନ୍ତି । ବେଙ୍ଗାଲୁରୁରେ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ ଆଜି ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ପ୍ରମୁଖ ଅର୍ଥନୀତି ଏବଂ ସମଗ୍ର ବିଶ୍ୱ ଏକ ନୂଆ ଭାରତର ଉଦୟକୁ ଦେଖୁଛି । ଗତ ୧୧ ବର୍ଷ ମଧ୍ୟରେ ଆମ ଅର୍ଥନୀତି ଦଶମ ସ୍ଥାନରୁ ଶ୍ରେଷ୍ଠ ପାଞ୍ଚଟି ମଧ୍ୟରେ ପହଞ୍ଚିଛି । ବର୍ତ୍ତମାନ ଆମେ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରୁ ଗୋଟିଏ ହେବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢୁଛୁ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ସୁଧାର, ପ୍ରଦର୍ଶନ ଏବଂ ପରିବର୍ତ୍ତନ ମନ୍ତ୍ର ଯୋଗୁଁ ଏହି ସମ୍ଭବ ହୋଇପାରିଛି । ମୋଦୀ ଦେଶର ଭିତ୍ତିଭୂମି ବିକାଶର ଉଦାହରଣ ଦେଇ କହିଛନ୍ତି ଯେ ୨୦୧୪ ରେ ମାତ୍ର ପାଞ୍ଚଟି ସହରରେ ମେଟ୍ରୋ ସୀମିତ ଥିବାବେଳେ ଆଜି ୨୪ଟି ସହରରେ ୧୦୦୦ କିଲୋମିଟରରୁ ଅଧିକ ରହିଛି । ସେହିଭଳି ରେଳ ଲାଇନ ବିଦ୍ୟୁତୀକରଣ ଏବଂ ବିମାନବନ୍ଦର ସଂଖ୍ୟା ବୃଦ୍ଧିରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି ।
ନିକଟରେ ହୋଇଥିବା ଆମେରିକୀୟ ରାଷ୍ଟ୍ରପତିଙ୍କ "ମୃତ ଅର୍ଥନୀତି" ମନ୍ତବ୍ୟ ଏବଂ ଟାରିଫ୍ ବୃଦ୍ଧି ପ୍ରସଙ୍ଗରେ ମୋଦୀ କହିଛନ୍ତି ଯେ ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ସତ୍ତ୍ୱେ ଭାରତ ନିଜର ଆର୍ଥିକ ପ୍ରାଥମିକତା ପ୍ରତି ସଜାଗ ରହିବା ଉଚିତ୍ । ଏହି ଅବସରରେ ସେ 'ସ୍ୱଦେଶୀ' ଏବଂ 'ଭୋକାଲ୍ ଫର୍ ଲୋକାଲ୍' ମନ୍ତ୍ରକୁ ଆପଣେଇବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଯାହାଦ୍ୱାରା ଏକ ବିକଶିତ ଭାରତର ସ୍ୱପ୍ନ ସାକାର ହୋଇପାରିବ ।