କନକ ବ୍ୟୁରୋ : କ୍ଷମତା ଠାରୁ ବହୁ ଅଧିକ ଯାତ୍ରୀଙ୍କୁ ନେଇ ନିୟମିତ ଚାଲୁଛି ବସ୍‌ । ଅମାନବୀୟ ଢଙ୍ଗରେ ଶ୍ରମିକଙ୍କୁ ନେଇ ଦାଇଦ୍ରାବାଦ ଠାରୁ ଓଡିଶା ଯିବା ଆସିବା କରୁଛି ଘରୋଇ ବସ୍‌ । ହାଇଦ୍ରାବାଦରୁ କଣ୍ଟାବାଞ୍ଜି ଫେରୁଥିବା ଏକ ଶ୍ରମିକ ବୋଝେଇ ବସ୍‌ ମାଲକାନଗିରି ବିଜାଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ୩୦ରୁ ଅଧିକ ଆହତ ହୋଇଛନ୍ତି । ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ୫୦ରୁ ଅଧିକ ଶ୍ରମିକ । ତେବେ ପ୍ରଶ୍ନ ଉଠୁଛି କାହିଁକି ଅମାନିଆ ବସ୍‌ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରୁନି ପରିବହନ ବିଭାଗ ? 

Advertisment

କାନ୍ଦ ବୋବାଳିରେ ଫାଟି ପଡ଼ୁଥାଏ ପରିବେଶ । ବସ୍‌ ଭିତରୁ କୁନିକୁନି ପିଲା ଓ ଶ୍ରମିକଙ୍କୁ ଉଦ୍ଧାର କରୁଥାନ୍ତି ସ୍ଥାନୀୟ ଯୁବକ । ରବିବାର ରାତିରେ ହାଇଦ୍ରାବାଦରୁ ୮୦ରୁ ଅଧିକ ଶ୍ରମିକଙ୍କୁ ନେଇ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବାହାରି ଥିଲା ଶ୍ରୀବାଲାଜି ନାମକ ଘରୋଇ ବସ୍ । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାର ଅଳ୍ପ କେଇଘଣ୍ଟା ପୂର୍ବରୁ ମାଲକାନଗିରି ବିଜାଘାଟି ତଳକୁ ଖସିପଡ଼ିଲା ଗାଡ଼ିଟି । ଘାଟି ଚଢ଼ି ନପାରି, ପ୍ରାୟ ଶହେ ମିଟର ପଛକୁ ପଛ ଆସି ରାସ୍ତା କଡକୁ ଖସି ପଡ଼ିଥିଲା । ଦୁର୍ଘଟଣାରେ ଆହତ ୩୦ରୁ ଅଧିକ ଯାତ୍ରୀଙ୍କୁ ପାଣ୍ଡ୍ରିପାଣି ଡାକ୍ତରଖାନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । 

କ୍ଷମତା ଠାରୁ ଅଧିକ ପରିବହନ 
ପ୍ରତିଦିନ ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ାରୁ ୨୦ରୁ ଅଧିକ ବସ୍ ମଲକାନଗିରି ଦେଇ ହାଇଦ୍ରାବାଦ ଯିବା ଆସିବା କରୁଛି । ଚଢ଼ା ଦର ସହ କ୍ଷମତା ଠାରୁ ଢେର ଅଧିକ ଶ୍ରମିକଙ୍କୁ ପରିବହନ କରାଯାଉଛି । ଏନେଇ ବାରମ୍ବାର ଖବର ପ୍ରସାରଣ କରିଛି କନକ ନ୍ୟୁଜ । ତଥାପି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନହେବାରୁ ଶ୍ରମିକଙ୍କ ଜୀବନ ସହ ଖେଳୁଛନ୍ତି ଅମାନିଆ ବସ୍ ମାଲିକ ।