କନକ ବ୍ୟୁରୋ : ଆଜି ହେଉଛି ଅର୍ନ୍ତଜାତିୟ ଶ୍ରମ ଦିବସ । ଆଜିର ଦିନଟି ଶ୍ରମିକମାନଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇବା ପାଇଁ । ହେଲେ ଯହାପାଇଁ ଏହାକୁ ପାଳନ କରାଯାଏ ସେମାନଙ୍କ ପାଖରେ ନାହିଁ ଏହି ଦିବସର ଗୁରୁତ୍ୱ । କାରଣ ରାତି ପାହିଲେ ଘାରେ ପେଟପାଟଣା ଚିନ୍ତା ।  

Advertisment

ଶ୍ରମିକ...ଦେଶର ଆର୍ଥିକ ଓ ସାମଜିକ ବିକାଶ ପାଇଁ ଗୁଣ୍ଡୁଚି ମୂଷାର ଭୂମିକା ନିର୍ବାହ କରନ୍ତି ସେମାନେ । ମୁଣ୍ଡ ଝାଳ ତୁଣ୍ଡରେ ମାରି କାମ କରନ୍ତି । ହାଡ଼ ଭଙ୍ଗା ପରିଶ୍ରମ ବଦଳରେ ପରିବାର ଚଳେ । ସେଥିପାଇଁ ପୁଣି ପ୍ରତିଦିନ ସଂଘର୍ଷ କରିବାକୁ ପଡ଼େ । ମଣିଷ ହାଟରେ ନିଜକୁ ବିକିଦେବାକୁ ପଡ଼େ । ଆଧୁନିକତା ଚାକଚକ୍ୟ ପୂର୍ଣ୍ଣ ସହରରେ ଏବେ ଏମାନେ ଥକି ପଡିଲେଣି । କାରଣ ସବୁଦିନ କାମ ମିଳୁନି,ଏଇ ଯେମିତି ରିକ୍ସା ବାଲା । ପୂର୍ବରୁ ରିକ୍ସା ଚଲାଇ ବେସ୍ ଦୁଇ ପଇସା ରୋଜଗାର କରୁଥିଲେ ପରିବାର ପେଟ ପୂରୁଥିଲା । ଧିରେଧିରେ ଆଟୋ ଓ ବ୍ୟାଟେରି ଗାଡ଼ିର ବହୁଳ ବ୍ୟବହାର ଯୋଗୁଁ ରିକ୍ସାର ଚାହିଦା କମିଯାଇଛି ।

ପୂର୍ବରୁ ଆସିକା ସହରରେ ଗଡୁଥିଲା ଶହେରୁ ଅଧିକ ରିକ୍ସା । ବିଭିନ୍ନ ସ୍ଥାନକୁ ଯିବା ଆସିବା ପାଇଁ ଲୋକେ ରିକ୍ସାକୁ ବ୍ୟବହାର କରୁଥିଲେ । ହେଲେ ଏବେ ଆଉ ସେମିତି ଘଟୁନାହିଁ । କମ୍‌ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଲୋକମାନେ ରିକ୍ସା ବଦଳରେ ଅଟୋ ଓ ଅନ୍ୟ ଗାଡ଼ିକୁ ବାଛୁଛନ୍ତି । ତେଣୁ ଶ୍ରମଜୀବୀ ରିକ୍ସା ଚାଳକ ଶ୍ରମ ହରାଇଛନ୍ତି । 

ଯାହା ପାଖରେ ଶ୍ରମିକ କାର୍ଡ ଟିଏ ନାହିଁ । ଯେଉଁମାନେ ପ୍ରତିଦିନ କାମ ଖୋଜୁଛନ୍ତି, ସେମାନଙ୍କ ପାଇଁ ଶ୍ରମିକ ଦିବସର ମାନେ କିଛି ନାହିଁ । ତେଣୁ ଶ୍ରମ ଦିବସ କେବଳ ପାଳନ ପାଇଁ ନହୋଇ ଶ୍ରମିକଙ୍କ ବିକାଶ ପାଇଁ କିଛି କରିବାର ଦିବସ ହେଲେ ଭଲ ହୁଅନ୍ତା ।