କନକ ବ୍ୟୁରୋ: ନୂଆବର୍ଷରେ ଶ୍ରୀମନ୍ଦିରରେ ଝଲସୁଛନ୍ତି ମୁଖାରବିନ୍ଦ ପତିତପାବନ। ରୁପା ଛାଉଣୀ ହୋଇଛି ସିଂହଦ୍ୱାର ଗୁମୁଟ । ମହାପ୍ରଭୁଙ୍କ ସିଂହଦ୍ୱାର ଗୁମୁଟରେ ବିରାଜିତ ପତିତପାବନ ମନ୍ଦିର ଓ ସିଂହଦ୍ୱାର ଗୁମୁଟ ଦ୍ଵାରବନ୍ଧ ରୂପା ଛାଉଣୀ କରାଯାଇଛି । ଆଗକୁ ବର୍ମାଟିକ କାଠରେ ନୂଆକରି ପ୍ରସ୍ତୁତ ରତ୍ନ ପଲଙ୍କ ବି ହେବ ରୁପା ଛାଉଣୀ। ଆଗାମୀ ତିନି ମାସ ମଧ୍ୟରେ ସମସ୍ତ ଛାଉଣୀ କାର୍ଯ୍ୟ ସାରିବାକୁ ଲକ୍ଷ ରଖାଯାଇଛି । ଭକ୍ତଙ୍କ ଦାନରେ ମିଳିଥିବା ରୁପାରୁ ପ୍ରାୟ ୩ଶହ କେଜି ରୁପା ବ୍ୟବହାର କରି ଛାଉଣୀ କାର୍ଯ୍ୟ କରିବାକୁ ସ୍ବତନ୍ତ୍ର ବୈଠକରେ ନିଷ୍ପତ୍ତି ହୋଇଥିଲା । ରତ୍ନ ପଲଙ୍କ ଓ ପ୍ରଭାକୁ ମଧ୍ୟ ମାର୍ଚ୍ଚ ସୁଦ୍ଧା ଛାଉଣୀ କରିବାକୁ ଲକ୍ଷ୍ୟ ରଖିଛି ଶ୍ରୀମନ୍ଦିର ପ୍ରଶାସନ । ପୋଲିସର ସୁରକ୍ଷା ବଳୟରେ ଚାଲିଛି ସିଂହଦ୍ୱାର ଗୁମୁଟ ଓ ପତିତପାବନଙ୍କ ରୁପା କାର୍ଯ୍ୟ। ନୂଆବର୍ଷରେ ଜଗାକୁ ଦେଖିବାକୁ ଆସୁଥିବା ଶ୍ରଦ୍ଧାଳୁ ଏହା ଦେଖି ବେଶ ଖୁସି ।
ବିଶ୍ୱ ପ୍ରସିଦ୍ଧ ରଥାଯାତ୍ରା ପୂର୍ବରୁ ମହାପ୍ରଭୁ ଅଣସର ଘରେ ଥିବା ସମୟରେ ଦଶ ଅବତାର ଖଟ ମଧ୍ୟ ରୁପା ଛାଉଣୀ କରିବାକୁ ଯୋଜନା ରହିଛି। ଏହାସହ ୭ଟି ଚଳନ୍ତି ପ୍ରତିମାଙ୍କ ପ୍ରଭା ବି ରୁପା ଛାଉଣୀ କରାଯିବ। ଆସନ୍ତା ଅକ୍ଷୟ ତୃତୀୟା ପୂର୍ବରୁ ସମସ୍ତ କାମ ସାରିବାକୁ ଲକ୍ଷ୍ୟ ରଖିଛି ଶ୍ରୀମନ୍ଦିର ପ୍ରଶାସନ। କେବଳ ସେତିକି ନୁହେଁ ଆଗକୁ ୬ ଫୁଟ୍ ଉଚ୍ଚ ଓ ସାଢ଼େ ତିନି ଫୁଟ ପ୍ରସ୍ଥ ଭଣ୍ଡାର ଲୋକନାଥଙ୍କ ଦ୍ଵାର, ଖିଲଣ ବି ରୁପା ଛାଉଣୀ ହେବାପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । କୋଟି କୋଟି ଶ୍ରଦ୍ଧାଳୁଙ୍କ ମଉଡମଣୀଙ୍କର ସିଂହଦ୍ୱାର, ନୂଆବର୍ଷରୁ ଝଲସୁଛି ..ରତ୍ନ ପଲଙ୍କ ଓ ପ୍ରଭାକୁ ମଧ୍ୟ ମାର୍ଚ୍ଚ ସୁଦ୍ଧା ଛାଉଣୀ କରିବାକୁ ଲକ୍ଷ୍ୟ ରଖିଛି ଶ୍ରୀମନ୍ଦିର ପ୍ରଶାସନ। ଯାହା ଜଗନ୍ନାଥପ୍ରେମୀଙ୍କ ଭିତରେ ଆନନ୍ଦ ଭରି ଦେଇଛି ।
Follow Us