କନକ ବ୍ୟୁରୋ :  ମହିଳାଙ୍କ ପରିଚୟ ପାଲଟିଛି ମହୁଚାଷ । କଟକ ଜିଲ୍ଲା ବାଙ୍କୀ ବ୍ଲକ ଫୁଲବାଡି ଗାଁରେ ଥିବା ତ୍ରିନାଥ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ନିଜ ବାଡ଼ିରେ ମହୁଚାଷ କରି ଆତ୍ମନିର୍ଭର ହୋଇପାରିଛନ୍ତି । ମହିଳାମାନେ ଏହି ଚାଷପାଇଁ ପ୍ରଥମେ ତାଲିମ ନେଇଛନ୍ତି । ଏହା ପରେ ବ୍ୟାଙ୍କରୁ ଋଣ ନେଇ ମହୁଚାଷ କରୁଛନ୍ତି । ମହୁଚାଷ ପାଇଁ ଆବଶ୍ୟକ ହେଉଥିବା କାଠବାକ୍ସ ଆଣି ସେଥିରେ ମହୁମାଛି ଛାଡ଼ି ମହୁ ପ୍ରସ୍ତୁତ କରୁଛନ୍ତି । ବାକ୍ସଗୁଡିକୁ ପିମ୍ପୁଡି ଦାଉରୁ ସୁରକ୍ଷା ଦେବା ପାଇଁ ବାକ୍ସର ତଳଭାଗରେ ପାଣିର କୁଣ୍ଡ କରିଛନ୍ତି । ଯାହାଫଳରେ ପିମ୍ପୁଡି କିମ୍ବା ଅନ୍ୟାନ୍ୟ କୀଟ ମହୁବାକ୍ସ ନଷ୍ଟ କରିପାରନ୍ତି ନାହିଁ ।  ପ୍ରତି ୩ ମାସରେ ଏହି ବାକ୍ସକୁ ଖୋଲାଯାଇ ସେଥିରୁ ମହୁ ବାହାର କରାଯାଇଥାଏ । ଗୋଟିଏ ଗୋଟିଏ ବାକ୍ସରୁ ପ୍ରାୟ ୨ରୁ ୩କେଜି ମହୁ ବାହାରିଥାଏ । ଫଳରେ ଏହି ମହୁଚାଷ କରି ବାର୍ଷିକ ଭଲ ରୋଜଗାରହେଉଥିବା କହିଛନ୍ତି ତ୍ରିନାଥ ଏସଏଚଜି ଗ୍ରୁପର ମହିଳା ।

 ମହିଳା ମାନେ ଘରେ ବସିବା ଅପେକ୍ଷା ନିଜସ୍ବ ଉଦ୍ୟମରେ କିଛି କାମ କରି ନିଜେ ଆତ୍ମନିର୍ଭରଶୀଳ ହେବାପାଇଁ ନିଷ୍ପତ୍ତି ନେଇଥିଲେ । ତେଣୁ ଏହି ମହୁଚାଷ କରି କମ ପରିଶ୍ରମରେ ଅଧିକ ଲାଭ ପାଉଥିବା କହିଛନ୍ତି ମହିଳା । ନିଜ ନିଜ ବାଡ଼ିରେ ଏହି ଚାଷ କରିଥିବାରୁ ଘରକାମ ସହିତ ଏହି କାମ ପାଇଁ ଢେର ସମୟ ମିଳୁଥିବା କହିଛନ୍ତି । ସେପଟେ ମହୁର ବଜାର ମୂଲ୍ୟ କେଜି ପ୍ରତି ଏକ ହଜାର ଟଙ୍କା ରହିଥିବା ବେଳେ ମାର୍କେଟିଙ୍ଗ ଅଭାବରୁ ସେମାନେ କିନ୍ତୁ ୭୦୦ରୁ ୮୦୦ ଟଙ୍କା ବିକ୍ରି କରୁଛନ୍ତି ।

ମହୁ ଚାଷ ଏକ ଲାଭଦାୟକ ଚାଷ । ଖୁବ୍ କମ୍ ସ୍ଥାନରେ ଏହି ଚାଷ ହେଉଥିବାର ଦେଖିବାକୁ ମିଳେ । ମହିଳା ମାନେ ଏଭଳି ଏକ ନୂଆ ପ୍ରଣାଳୀର ଚାଷ କରି ସ୍ଥାନୀୟ ଅଂଚଳରେ ଚର୍ଚ୍ଚାକୁ ଆସିଛନ୍ତି