କନକବ୍ୟୁରୋ : ଆଜିଠୁ ଆରମ୍ଭ ହେଉଛି ବିଧାନସଭା ଶୀତ ଅଧିବେଶନ । ଡିସେମ୍ବର ୩୧ ଯାଏ ଏହି ଅଧିବେଶନ ଚାଲିବାକୁ ଥିବା ବେଳେ ଏଥିରେ ୩୦ଟ କାର୍ୟ୍ୟ ଦିବସ ରହିବ । ତେବେ ଏଥର ବେଶ ସରଗରମ ହେବ ଗୃହ। ସରକାରଙ୍କୁ ଆକ୍ରମଣ କରିବାକୁ ମାଳମାଳ ପ୍ରସଙ୍ଗ ଧରି ପ୍ରସ୍ତୁତ ହୋଇଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ସରକାରଙ୍କ ଅବହେଳ ଓ ରାଜ୍ୟସ୍ୱାର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଅଡୁଆରେ ପକାଇବାକୁ ବିଧାୟକ ଦଳ ବୈଠକରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ବିରୋଧୀ ।
ଆମ୍ୱଟାକୁଆ ଜାଉ ଖାଇ ୩ ଜଣଙ୍କ ମୃତ୍ୟୁ, ଆଦାନୀର ଜମି ଅଧିଗ୍ରହଣ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ପ୍ରସଙ୍ଗ କରିବ ବିଜେଡି । ସେହିପରି ଧାନ ମଣ୍ଡି ସମସ୍ୟା, ଦର ଦାମ ବୃଦ୍ଧି, ବେରୋଜଗାର, ସୁଭଦ୍ରା ଯୋଜନାରେ ପାତର ଅନ୍ତର ପ୍ରସଙ୍ଗ ଉଠାଇ ସରକାରକୁ ଘେରିବାକୁ ଯୋଜନା କରିଛି କଂଗ୍ରେସ । ତେବେ ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକରେ ଆଲୋଚନା କରିଚନ୍ତି ବାଚସ୍ପତି । ପ୍ରଥମ ଦିନରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ସେହିପରି ଚଳିତ ଶୀତ ଅଧିବେଶନରେ ଗୁରୁତ୍ୱପୂଣ୍ଣ ବିଲ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ସେପଟେ ବିଧାନସଭା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି ଡିଜିପି ୱାଇ.ବି ଖୁରାନିଆ । ସୁରକ୍ଷା ଦୃଷ୍ଟିରୁ ୩ ଥାକିଆ ସୁରକ୍ଷା ବଳୟ ସହ ବିଧାନସଭା ଓ ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣୀ କରାଯିବ , ସୁରକ୍ଷା ଦାୟିତ୍ବରେ ରହିବେ ୩୦ ପ୍ଲାଟୁନ ଫୋର୍ସ ।
ଏସଓଜି, ଷ୍ଟ୍ରାଇକିଂ ଫୋର୍ସ, ବୋମା ନିସ୍କ୍ରିୟକାରୀ ଦଳ, କ୍ୟୁଏଟି, ଡଗ୍ ସ୍କ୍ୱାର୍ଡ, ଅଗ୍ନିଶମ ବିଭାଗ ସବୁ ଦିଗ ଉପରେ ତୀକ୍ଷ୍ଣ ନଜର ରଖିବେ। ଲୋୟର ପିଏମଜିରେ ଏଥର ଧାରଣା ପାଇଁ ଅନୁମତି ମିଳିବ ନାହିଁ। ସୁରକ୍ଷାକୁ ଅଧିକ କଡାକଡି କରିବା ପାଇଁ ଅସ୍ଥାୟୀ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯାଇଛି । ସେପଟେ ସରକାରଙ୍କୁ ଘେରିବାକୁ ବିରୋଧୀ ଦଳ ବି ପ୍ରସ୍ତୁତ ରହିଛନ୍ତି । ବିଭିନ୍ନ ପ୍ରସଙ୍ଗକୁ ଉଠିପାରେ ଗୃହରେ ଝଡ , ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ବିଜେଡିର ବିଧାୟକ ଦଳ ବୈଠକରେ ଆଲୋଚନା ହୋଇଛି ।
ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ କଣ କାମ କରିଛନ୍ତି କି ନାହିଁ ତାହା ବିଧାନସଭାରେ ବିଜେଡି ଉଠାଇବ । ତେବେ ବିଭିନ୍ନ ପ୍ରସଙ୍ଗ ଉଠାଇ ଲଢ଼େଇ କରିବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିର୍ଦ୍ଧେଶ ଦେଇଛନ୍ତି। ସେପଟେ କଂଗ୍ରେସ ମଧ୍ୟ ସରକାରକୁ ଘେରିବାକୁ କରିଛି ରଣନୀତି । ଶୀତକାଳୀନ ଅଧିବେଶନରେ ଆଗ୍ରେସିଭ ମୋଡ୍ରେ ଓହ୍ଲାଇବାକୁ ନିଆଯାଇଛି ନିଷ୍ପତ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ଅକ୍ଷ୍ୟକ୍ଷତାରେ ବୈଠକ ବସିଥିବା ବେଳେ ବିଜେପିର ବିଫଳତାକୁ ବିଧାନସଭାରେ ପ୍ରସଙ୍ଗ କରିବ ଦଳ ।
ତେବେ ଏ ସମସ୍ତ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଙ୍କ ସମସ୍ତ ପ୍ରଶ୍ନର ଉତ୍ତର ରଖିବାକୁ ସରକାର ମଧ୍ୟ ପ୍ରସ୍ତୁତ ରହିଛନ୍ତି । ବିରୋଧୀ ଦଳ ଯେଉଁ ସବୁ ପ୍ରସଙ୍ଗ ଉଠେଇବେ ତାକୁ ସାମ୍ନା କରିବାକୁ ସରକାର ପ୍ରସ୍ତୁତ ଥିବା କହିଛନ୍ତି ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏନେଇ ବିଧାୟକ ଦଳ ବୈଠକରେ ଆଲୋଚନା ହୋଇଛି । ବିଧାନସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରଖି ଆଲୋଚନା ହେବ । ଏହାସହ ପାଞ୍ଚ ମାସର ଉପଲବ୍ଧି ମଧ୍ୟ ରଖିବେ ସରକାର