କନକ ବ୍ୟୁରୋ;  କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ଘର । କାହା ଆଖିରୁ ଲୁହ ଶୁଖୁନି । ମାଆ ଆଉ କୋହ ସମ୍ଭାଳି ପାରୁନି। ଦାଣ୍ଡ ଦୁଆରେ ଅପେକ୍ଷା କରି ରହିଛି, କେତେବେଳେ ତାର ଅଲିଅଳ ପୁଅ ଆର୍ଶୀବାଦ ଘରକୁ ଆସିବ। ଗତ ୧୫ ତାରିଖରୁ ଡେଲାଙ୍ଗ ରତନପୁର ଅଞ୍ଚଳରୁ ନିଖୋଜ ଅଛନ୍ତି ୧୧ ବର୍ଷର ଆର୍ଶୀବାଦ ସାହୁ । ଏନେଇ ପରିବାର ଲୋକ ଥାନାର ଦ୍ବାରସ୍ଥ ହୋଇଥିଲେ । ନିଖୋଜ ଘଟଣାକୁ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଏଯାଏଁ ଖାଲି। ସିସିଟିଭି ଯାଞ୍ଚ ପରେ ମଧ୍ୟ ସୁରାଗ ପାଉନି ପୋଲିସ । 
 
୫ ବର୍ଷ ପୂର୍ବେ ନିଖୋଜ ହୋଇଥିବା କୁନି ଝିଅ ପିହୁର ଫେରିବା ବାଟକୁ ଚାହିଁ ରହିଛନ୍ତି ମା । ମୋବାଇଲରେ ପିହୁର ଫଟୋ ଦେଖି ବାହୁନି ବାହୁନି କାନ୍ଦୁଛନ୍ତି । ପୂର୍ବ ସରକାରରେ ବାରମ୍ବାର ଥାନାକୁ ଦୌଡି ନ୍ୟାୟ ପାଇନଥିଲେ, ନୂଆ ସରକାରରେ ମଧ୍ୟ ସମଦଶା ଭୋଗୁଛନ୍ତି । ସବୁଆଡୁ ନିରାଶ ହେବା ପରେ ପିହୁକୁ ଖୋଜି ଆଣିବାକୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ମା ମୋନାଲିଶା । ପିହୁ ନିଖୋଜ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ତତ୍କାଳୀନ ୨ ଥାନାଧିକାରୀଙ୍କୁ ବରଖାସ୍ତ ସହ କାହା ଚାପରେ ଘଟଣାକୁ ଚାପି ଦିଆଯାଇଥିଲା ତାହା ଉପରୁ ପରଦା ହଟାଇବାକୁ ଦାବି କରିଛନ୍ତି । 
 
ଭୁବନେଶ୍ବର ରାମ ମନ୍ଦିର ନିକଟରୁ ଶିଶୁ ଚୋରି ଘଟଣାରେ ମାତ୍ର କିଛି ଘଣ୍ଟା ମଧ୍ୟରେ ଶିଶୁକୁ ଖୋଜି ଆଣି ବାହାବା ସାଉଁଟିଥିଲା ପୋଲିସ । କିନ୍ତୁ ଭୁବନେଶ୍ବର ଠାରୁ ୪୫ କିଲୋମିଟର ଦୂର ରତନପୁରର ନିଖୋଜ ନାବାଳକ ଆର୍ଶୀବାଦର ପତ୍ତା ନମିଳିବା ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ଚିହ୍ନ ଛିଡା କରିଛି । 

Advertisment