କନକ ବ୍ୟୁରୋ: ଖରାର ପ୍ରକୋପ ଯେତେ, ଜଳ ଯନ୍ତ୍ରଣାର ଖବର ସେତେ । ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକ । ଆଉ ଚୁପ୍ ବସୁଛି ପ୍ରଶାସନ । କେନ୍ଦୁଝର ଚମ୍ପୁଆ ବ୍ଲକରୁ ଆସିଛି ଜଳ ଯନ୍ତ୍ରଣାର ଏମିତି ଏକ ଘଟଣା । ପୂରା ଗାଁ ବଞ୍ଚିଛି ଗୋଟିଏ ନଳକୂପରେ । ବାରମ୍ବାର ଅଭିଯୋଗ ପରେ ବି ପାନୀୟ ଜଳର ସୁବିଧା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକ ।
କେନ୍ଦୁଝର ଜିଲ୍ଲାର ଚମ୍ପୁଆ । ପାହାଡ଼ ଜଙ୍ଗଲ ଖଣି ଖାଦାନ ଭରା ଅଞ୍ଚଳ । ହେଲେ ଆଜି ଆମେ ଚର୍ଚ୍ଚା କରିବା ପାଣିକୁ ନେଇ । ସୁନପଶି ପଞ୍ଚାୟତର ସରସପଶି ଗାଁ । ୫୦ରୁ ଅଧିକ ପରିବାର ବସବାସ କରୁଥିବା ଏହି ଗାଁରେ ପିଇବା ପାଣିର କୌଣସି ସୁବିଧା ନାହିଁ । ୩ଟି ନଳକୂପରୁ ୨ଟି ଅଚଳ ହୋଇପଡ଼ିଛି । ଗୋଟିଏ ନଳକୂପ ଆଶ୍ରାରେ ବଞ୍ଚୁଛି ପୂରା ଗାଁ। ସେଥିରୁ ବି ବାହାରୁଥିବ ପାଣି ବି ପାନୀୟ ଅନୁପଯୋଗୀ ବୋଲି ଅଭିଯୋଗ ହୋଇଛି ।
ବସୁଧା ଯୋଜନାରେ ପାନୀୟ ଜଳର ସୁବିଧା ପାଇଁ ଗାଁରେ ପାଇପ ବିଛା ଯାଇଛି । ଷ୍ଟାଣ୍ଡପୋଷ୍ଟ ବି ବସାଯାଇଛି । ୨ବର୍ଷ ତଳୁ ଏମିତି ପ୍ରକ୍ରିୟା କରାଯାଇଛି । କିନ୍ତୁ ବଡ଼ ବିଡମ୍ବନା, ଏଯାଏଁ ଲୋକଙ୍କ ଘର ପାଖରେ ପହଞ୍ଚି ପାରିନାହିଁ ପାଣି । ତାତି ବଢୁଛି, ଜଳକୁ ନେଇ ଜୀବନ ପ୍ରଭାବିତ ହେବା ଆଗରୁ ଗାଁରେ ପିଇବା ପାଣି ସମସ୍ୟାର ସମାଧାନ କରିବାର ଆବଶ୍ୟକତା ରହିଛି ।