କନକ ବ୍ୟୁରୋ : ଓଡ଼ିଶାର ଲାଇଫ୍ ଲାଇନ୍ କୁହାଯାଉଥିବା ମହାନଦୀର ଅବସ୍ଥା ଏବେଠୁ ସଙ୍ଗୀନ। ଧୀରେ ଧୀରେ କମୁଛି ପାଣି, ଶୁଖି ଶୁଖି ଯାଉଛି ଉପର ମୁଣ୍ଡ। ଓଡ଼ିଶାରେ ମହାନଦୀର ପ୍ରବେଶ ପଥ ଝାରସୁଗୁଡ଼ାର ଶୁଖାସୋଡ଼ାରେ ବର୍ତ୍ତମାନ ଆଣ୍ଠୁଏ ଉଚ୍ଚର ପାଣି। ଏହି ସମୟରେ ଆଗରୁ ଶୁଖାସୋଡ଼ାରେ ଅକାତ କାତ ପାଣି ରହିଥାଏ। କିନ୍ତୁ ପାଣି କମିଚାଲିଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ଚାଷୀ। ଯେଉଁଭଳି ଭାବେ ଦିନକୁ ଦିନ ମହାନଦୀ ଶୁଖି ଚାଲିଛି, ଆଉ ମାସେ ପରେ ସମ୍ପୂର୍ଣ୍ଣ ଶୁଖିଯିବ ବୋଲି ଆଶଙ୍କା କରାଯାଉଛି। ଏପଟେ ହୀରାକୁଦ ଡ୍ୟାମକୁ କମିଲାଣି ଇନଫ୍ଲୋ। ଜଳଭଣ୍ଡାରର ଜଳସ୍ତର ମଧ୍ୟ କମୁଛି।
ଫେବୃଆରୀ ମାସରୁ ମହାନଦୀର ଏମିତି ଅବସ୍ଥାକୁ ନେଇ ରାଜନୀତି ବି ଜୋର ଧରିଛି। ଆଉ ୨ ମାସ ପରେ ସାରା ରାଜ୍ୟରେ ଜଳ ସଙ୍କଟ ସୃଷ୍ଟି ହେବ। କିନ୍ତୁ ଏଭଳି ଭୟଙ୍କର ଅବସ୍ଥା ବେଳେ ରାଜ୍ୟ ସରକାରଙ୍କ ଚିନ୍ତା ନାହିଁ ବୋଲି କହିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ସେହିପରି ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ର ସବୁଠି ବିଜେପି ତଥା ଟ୍ରିପଲ ଇଞ୍ଜିନ ସରକାର ଥିବାରୁ କାହିଁକି ଏନେଇ ଆଲୋଚନା କରାଯାଉନି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ।
ମହାନଦୀରେ ଜଳସ୍ତର ଏବେଠୁ କମିଚାଲିଥିବା ବେଳେ କାହିଁକି ଏନେଇ ବିଧାନସଭାରେ ଆଲୋଚନା ହେଉନି? ଲାଗୁଛି ଯେମିତି, ନା ଶାସକ ଦଳ ନା ବିରୋଧୀ କାହାରି ମହାନଦୀ ପ୍ରତି ନାହିଁ ଆନ୍ତରିକତା। ଯଦି ଏବେଠୁ ଏମିତି ତେବେ ଆଗକୁ କ’ଣ ହେବ ମହାନଦୀ ଅବସ୍ଥା?