କନକ ବ୍ୟୁରୋ: ମୁଣ୍ଡଳିରେ ବଢୁଛି ଜଳସ୍ତର । ହୀରାକୁଦ ଛାଡ଼ିଥିବା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ମୁଣ୍ଡଳୀରେ ପହଁଚିବା ପରେ ଫୁଲୁଛି ମହାନଦୀ । ଆଜି ସକାଳ ୬ ଟା ରୁ ୧.୧୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଯାହା ଆଜି ସନ୍ଧ୍ୟା ସୁଦ୍ଧା ୪.୫୦ କ୍ୟୁସେକରେ ପହଂଚିବ । ୯ଲକ୍ଷ କ୍ୟୁସେକ ହେଲେ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ । ଏଣୁ ଭୟଭୀତ ହେବାର ଆବଶ୍ୟକ ନାହିଁ ବୋଲ କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ହୀରାକୁଦର ୨୦ଟି ଗେଟ ଦେଇ ବର୍ତ୍ତମାନ ଜଳ ନିଷ୍କାସନ ହେଉଛି । ବର୍ଷା ଆସିଲେ, ପରବର୍ତ୍ତୀ ପଦକ୍ଷେପ ନିଆଯିବ । ସୁବର୍ଣ୍ଣରେଖା ରାଜଘାଟଠାରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସତର୍କ ସଂକେତରେ ପହଞ୍ଚିବ ଜଳସ୍ତର । ବର୍ଷା ନଥିବା ଯୋଗୁଁ ଜଳସ୍ତର ଆଉ ବଢିବ ନାହିଁ । ଉପରମୁଣ୍ଡରେ ୧୦ ମିଲିମିଟର ବର୍ଷା ହୋଇଛି । ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମରୁ ବିଶେଷ ଜଳ ନିଷ୍କାସନ ହେଉନି । ବ୍ରାହ୍ମଣୀର ଦୁଇଟି ଗେଟରୁ ଜଳ ନିଷ୍କାସନ ହେଉଥିବା କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।
ହୀରାକୁଦ ଡ୍ୟାମର ୨୦ଟି ଗେଟ ଦେଇ ନିଷ୍କାସିତ ହେଉଥିବା ବନ୍ୟାଜଳ ଆଜି କଟକ ମୁଣ୍ଡଳିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ହୀରାକୁଦ ଡ୍ୟାମ୍ର ବାମପଟରେ ୧୩ଟି ଓ ଡାହାଣ ପଟେ ୭ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୦୭ ଦଶମିକ ୪୫ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୨୯ ହଜାର ୧୭୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୩୧ ହଜାର ୨୪୭ କ୍ୟୁସେକ୍ ଜଳ । ସ୍ପିଲ୍ୱେ ପାଇଁ ୨ ଲକ୍ଷ ୯୩ ହଜାର ୩୬୦ କ୍ୟୁସେକ୍ ପାଣି ଯାଉଥିବା ବେଳେ ପାୱାର ଚ୍ୟାନେଲ ପାଇଁ ୩୪ ହଜାର ୬୫୨ କ୍ୟୁସେକ୍ ପାଣି ଛଡ଼ାଯାଉଛି । ହୀରାକୁଦ ନଦୀବନ୍ଧରେ ମୋଟ୍ ୯୮ଟି ଗେଟ୍ ରହିଛି । ଏଥିରୁ ୬୪ଟି ସ୍ଲୁଇସ୍ ଗେଟ୍ ଓ ୩୪ଟି କ୍ରେଷ୍ଟ ଗେଟ୍ ରହିଛି । ହୀରାକୁଦ ନଦୀବନ୍ଧରେ ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ।