କନକ ବ୍ୟୁରୋ: ପୂରିଲା ଡ୍ୟାମ୍, ସର୍ବୋଚ୍ଚ ସ୍ତର ଛୁଇଁଲା ହୀରାକୁଦ ଜଳସ୍ତର । ହୀରାକୁଦର ଜଳସ୍ତର ୬୩୦ଫୁଟ୍ ରହିଛି । ୧ଲକ୍ଷ ୨ହଜାର ୨୨୬ କ୍ୟୁସେକ ଜଳ ନିଷ୍କାସନ ହେଉଥିବା ବେଳେ ସମାନ ପରିମାଣରେ ଜଳ ଡ୍ୟାମକୁ ପ୍ରବେଶ କରୁଛି । ବର୍ତ୍ତମାନ ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ବାମ ପାର୍ଶ୍ୱର ୩ଟି ଓ ଡାହାଣ ପାର୍ଶ୍ୱର ଗୋଟିଏ ଗେଟ୍ ଖୋଲା ହୋଇଛି । ବର୍ଷା ବଢ଼ିଲେ ଅଧିକ ଗେଟ୍ ଖୋଲିପାରେ ବୋଲି ମୁଖ୍ୟଯନ୍ତ୍ରୀ କହିଛନ୍ତି ।
ପଛକୁ ପଛ ଓଡ଼ିଶା ମୁହାଁ ୩ ଲଘୁଚାପ, ଏହାସହ ଆସୁଛି ବଡ଼ ବର୍ଷା । ଉତ୍ତର ବଙ୍ଗୋପସାଗରରେ ଆଗାମୀ ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ । ଯାହାର ପ୍ରଭାବରେ କେନ୍ଦୁଝର, ମୟୂରଭଞ୍ଜ ସମେତ ଉତ୍ତର ଉପକୂଳ ଓଡ଼ିଶାରେ ପ୍ରଚଣ୍ଡ ବ୍ରଜପାତ ସହ ଅତିପ୍ରବଳ ବର୍ଷା ଲାଗିରହିବ । ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼,କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ଭଦ୍ରକ, ବାଲେଶ୍ୱରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗୋଟିଏ ଲଘୁଚାପ ଦୁର୍ବଳ ହେଲା ବେଳକୁ ଆଉ ଏକ ଲଘୁଚାପ ୨୫ ସେପ୍ଟେମ୍ବର ବେଳକୁ ଦାନା ବାନ୍ଧୁଛି । ପୂର୍ବକେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି, ୨୬ ସେପ୍ଟେମ୍ବର ବେଳକୁ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇବ । ପରେ ଅଧିକ ଘନୀଭୂତ ହେଇ ଲଘୁଚାପ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଅଵପାତର ରୂପ ନେବ । ଏହା ୨୭ ସେପ୍ଟେମ୍ବରରେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଛି । ୨୫ରୁ ୨୭ ସେପ୍ଟେମ୍ବର ମଧ୍ୟରେ ଆନ୍ଧ୍ର ପ୍ରଦେଶ - ଓଡ଼ିଶା - ପଶ୍ଚିମବଙ୍ଗ ଉପକୂଳରେ ସମୁଦ୍ର ଅଶାନ୍ତ ରହିବ ।